ମହଣମହଣ ସୁନାରେ ସଜେଇ ହେଲେ ତିନି ଠାକୁର

ପୁରୀ,ଏନ୍ଏନ୍ଏସ୍: ଝଲସୁଛି ବଡ଼ଦାଣ୍ଡ। ରଥରେ ତିନିଠାକୁର ସୁନେବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତମାନେ ବଡ ଦାଣ୍ଡକୁ ଯାଇନପାରିଲେ ମଧ୍ୟ ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ କୋଭିଡ ଗାଇଡ ଲାଇନକୁ ମାନି ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡରେ କର୍ଫ୍ୟୁ ଜାରି କରାଯାଇଛି।

ମହଣମହଣ ଓଜନର ବିଭିନ୍ନ ରତ୍ନଖଚିତ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ସବୁକୁ ବାହାର କରାଯାଇ ମାଜିଷ୍ଟ୍ରେଟ ଓ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ସେବାୟତମାନେ ତିନିରଥ ଉପରକୁ ଆଣିଥିଲେ।

ଶ୍ରୀବିଗ୍ରହମାନଙ୍କୁ ସ୍ୱର୍ଣ୍ଣ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଢିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡକାନୀ, ଘାଗରାମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଚକ୍ର, ହଳମୂଷଳ, ବାହାଡା ମାଳି, କଦମ୍ବମାଳି, ତାବିଜମାଳି, ସେବତୀମାଳି, ତ୍ରିଖଣ୍ଡିକା କମରପଟି ଆଦି ଅଳଙ୍କାରରେ ସଜ୍ଜିତ କରାଯାଇଛି।