ଦେଓଧର ଜଳ ପ୍ରପାତରୁ ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ପୂଜକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ତିଲେଇବଣୀ ବ୍ଲକ ଦେଓଧର ଜଳପ୍ରପାତ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ହତ୍ୟା ଅଭିଯୁକ୍ତ ସୁନୀତ କଣ୍ଟିଆଲି(୨୦)ଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଜମନକିରା ଥାନା ରେଙ୍ଗାଲବେଡ଼ା ଗ୍ରାମର ପ୍ରସନ୍ନ କୁମାର ସାହୁ (୫୦)ଙ୍କ ପୁଅ ନାରାୟଣ ସାହୁଙ୍କୁ ରେଙ୍ଗାଲବେଡ଼ା ଗ୍ରାମର କେତେକ ବ୍ୟକ୍ତି ହତ୍ୟା କରିଥିବା ନେଇ ଗତ ଡିସେମ୍ବର ମାସରେ ଜମନକିରା ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପ୍ରସନ୍ନ ହତ୍ୟାକାରୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଦେବଗଡ଼ ଥାନା ଖଳିନାଳି ଗ୍ରାମର ଅକ୍ଷୟ କଣ୍ଟିଆଲି ନାମକ ଜଣେ ପୂଜକର ସହାୟତା ନେଇଥିଲେ। ମାତ୍ର ସେଥିରେ ସଫଳ ନହେବାରୁ ପୂଜକ ଅକ୍ଷୟ କଣ୍ଟିଆଲି ଓ ତାଙ୍କ ସାନ ପୁଅ ସୁନୀତଙ୍କୁ ଠକ ବୋଲି କହିଥିଲେ। ଅନ୍ୟପକ୍ଷରେ ଗତ କିଛିମାସ ପୂର୍ବେ କଣ୍ଟିଆଲି ପରିବାର ପୂଜା କରୁଥିବାବେଳେ ପୀଠରେ ନିଆଁ ଲାଗିଯିବାରୁ ଏହା ପଛରେ ପ୍ରସନ୍ନଙ୍କ ହାତ ଥିବା ଉଭୟ ବାପ ପୁଅ ସନ୍ଦେହ କରୁଥିଲେ।

ଏଣୁ ଗତ୧୭ ତାରିଖ ଦିନ ସୁନିତ ପ୍ରସନ୍ନକୁ ଭଲ ତିଥି ଥିବାରୁ ପୁଣି ପୂଜା କରିବା ପାଇଁ ଫୋନ୍ କରି ଡାକିଥିଲେ। ପ୍ରସନ୍ନ ସୁନୀତର କଥାରେ ଦେଓଧର ଜଳପ୍ରପାତକୁ ଯାଇ ପୂଜା ସାରି ମୁଣ୍ଡିଆ ମାରିବା ସମୟରେ ସୁନୀତ ଏକ ବଡ଼ପଥର ପ୍ରସନ୍ନଙ୍କ ମୁଣ୍ଡରେ କଚାଡ଼ି ହତ୍ୟା କରିଥିଲା। ହତ୍ୟାପରେ ସୁନୀତ ପ୍ରସନ୍ନଙ୍କ ଚପଲ ପିନ୍ଧା ଲୁଗା ଆଦିକୁ ପଥର କରୋଡରେ ଲୁଚାଇ ରଖିବା ସହ ମୃତଦେହକୁ ଝରଣା ମଧ୍ୟରେ ଫିଙ୍ଗି ଦେଇ ମୃତକଙ୍କ ବାଇକ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ତଦନ୍ତ ସମୟରେ ବାରକୋଟ ଥାନାଅଞ୍ଚଳରୁ ପ୍ରସନ୍ନଙ୍କ ବାଇକ ଉଦ୍ଧାର କରାଯାଇଥିବାବେଳେ ଫେରାର ଥିବା ସୁନୀତ ଗତକାଲି ନିଜ ଗ୍ରାମକୁ ଫେରିଥିବା ଖବରପାଇ ଦେବଗଡ଼ ଥାନା ପୁଲିସ ସେଠାରେ ପହଞ୍ଚି ଗିରଫ କରିଥିଲା। ପଚରାଉଚୁରା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଓ ମୃତକର ପିନ୍ଧାଲୁଗା ଓ ଚପଲ ଆଦିକୁ ଜବତ କରିଛି।