ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ଲାଜମାଥେରାପି ଉପଲବ୍ଧ ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଥେରାପି ମାଧ୍ୟମରେ କରୋନା ରୋଗୀଙ୍କର ଚିକିତ୍ସା ପଦ୍ଧତି ନିରୂପଣ କରିବାକୁ ଏକ ବୈଷୟିକ କମିଟି ଗଠନ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଚିକିତ୍ସା ପଦ୍ଧତି ନିରୂପଣ ସହ ସଫଳ ରୂପାୟନ ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତି, ଜନସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସମ୍ପର୍କରେ କମିଟି ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହି ଚିକିତ୍ସା ଉପଲବ୍ଧ ନିମନ୍ତେ ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଯଥା; କଟକସ୍ଥିତ ଏସସିବି ମେଡିକାଲ କଲେଜ, ଅଶ୍ୱିନୀ ହସ୍ପିଟାଲ ଓ ଭୁବନେଶ୍ୱରଠାରେ ଥିବା ସମ୍ ଓ କିମ୍ସ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେବା ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ବୈଠକରେ ବରିଷ୍ଠ ଚିକିତ୍ସକ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡ଼ା ଅଶୋକ ମହାପାତ୍ର, କିମ୍ସ ମେଡିକାଲ କଲେଜର ନିର୍ଦ୍ଦେଶକ ଡ଼ା ସୁବ୍ରତ ଆଚାର୍ଯ୍ୟ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଆରଏମଆରସିର ନିର୍ଦ୍ଦେଶକ ଡା ସଂଘମିତ୍ରା ପତି, ଛାତିରୋଗ ବିଶେଷଜ୍ଞ ପ୍ରଫେସର ଡା ଏମଆର ପଟ୍ଟନାୟକ, ଭେଷଜ ବିଶେଷଜ୍ଞ ପ୍ରଫେସର ଡା ଜୟନ୍ତ ପଣ୍ଡା ପ୍ରମୁଖ ଉକ୍ତ ଥେରାପି ସମ୍ପର୍କରେ ତାଙ୍କର ମତାମତ ଉପସ୍ଥାପନ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏଥିମଧ୍ୟରେ ରାଜ୍ୟ ସରକାରଙ୍କ ନିକଟରେ ରେମଡିସାଭିୟର ଓ ଫାଭିଫ୍ଲୁ ଔଷଧର ପ୍ରୟୋଗ ଗୁରୁତର ଓ ଅତି ଗୁରୁତର ରୋଗୀଙ୍କ ନିମନ୍ତେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଓଡ଼ିଶା ରାଜ୍ୟ ଔଷଦ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀଗଣ ବୈଠକରେ ଉପସ୍ଥିତ ଥିଲେ।