ଆସନ୍ତାକାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ପୌରପରିଷଦ ସଟଡାଉନ

ମାଲକାନଗିରି,ଏନ୍ଏନ୍ଏସ୍: ଗତକାଲି ପ୍ରଥମ ଥର ମାଲକାନଗିରି ପୌରପରିଷଦ ଅଞ୍ଚଳରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଅଞ୍ଚଳକୁ ୩ ତାରିଖ ରାତି ୮ଟାରୁ ୫ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ତେବେ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳକୁ ବଫର ଜୋନ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ଘର ଘର ବୁଲି ସର୍ଭେ କରୁଛନ୍ତି।

ଅନ୍ୟପଟେ ଅନଲକ-୨ରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ଦୋକାନ ବଜାର ସକାଳ ୮ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦ ଦେଲେ ସମସ୍ତ ସହରାଞ୍ଚଳ, ବ୍ଲକ, ତହସିଲ ଅଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏଥିସହ ସମସ୍ତ ଜନସାଧାରଣ ସାମାଜିକ ଦୂରତା ପାଳନ କରିବା ସହ ମାସ୍କ ବ୍ୟବହାର ଓ ସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି।