ଦେବଗଡ଼,ଏନ୍ଏନ୍ଏସ୍: ଚଳିତ ଖରିଫରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିହନ ଗଜା ହେଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ସହ ଚାଷୀଙ୍କୁ ଉତ୍ତମ କିସମର ବିହନ ଯୋଗାଇଦେବାକୁ ଦାବିକରି ଜିଲ୍ଲା କୃଷି ବିଭାଗର ଦ୍ୱାରସ୍ଥ ହୋଇଛି ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ। ଆଜି ପୂର୍ବାହ୍ନରେ ସଙ୍ଘର ସଭାପତି ସେମ ହେମ୍ରମ ଓ ସମ୍ପାଦକ ଗୁଣନିଧି ବେହେରା ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଅନୁପସ୍ଥିତିରେ ସହକାରୀ କୃଷି ଅଧିକାରୀ ମନୋଜ ମାରାଣ୍ଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ କୃଷି ବିଭାଗ ଜରିଆରେ ବିଭିନ୍ନ କୃଷି ସେବାସମବାୟ ସମିତି ମାଧ୍ୟମରେ ରାଜ୍ୟ ସରକାର ଯୋଗାଇଥିବା କଳାଚମ୍ପା ଓ ୧୦୦୧ ଆଦି କିସମ ଧାନ ବିହନ ବୁଣିବାପରେ ଗଜା ହେଉନଥିବାରୁ ଚଳିତବର୍ଷ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ଥିବା କାରଣରୁ ଚାଷୀଙ୍କୁ ବିହନ ଯୋଗାଇଦେବାକୁ ଦାବି କରାଯାଇଛି।