ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୧୧ନଂ ୱାର୍ଡରେ ଥିବା କଚେରୀ ସାହି ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ୱାର୍ଡର ମହିଳାମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ ୧୯୮୬ରୁ ସ୍ଥାପିତ କଚେରୀ ସାହି ପ୍ରାଥମିକ ବିଦ୍ୟାଳୟରେ ପୂର୍ଣ୍ଣ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଚାଲିଥିଲା। କିନ୍ତୁ ଗତ ୨ ବର୍ଷ ପୂର୍ବେ ଛାତ୍ରଛାତ୍ରୀଙ୍କ କମ ଉପସ୍ଥାନ ଯୋଗୁଁ ମହୁଲଢ଼ିପା ସାହି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାପରେ ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ କଚେରୀ ସାହି ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ମାତ୍ର ଚଳିତ ଶିକ୍ଷା ବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ କଚେରୀ ସାହି ପ୍ରାଥମିକ ବିଦ୍ୟାଳୟକୁ ବାଳକ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯିବା ନିଷ୍ପତ୍ତି କରାଯାଇଥିବାରୁ ସାହି ବାସିନ୍ଦା ଏହାକୁ ବିରୋଧ କରିଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ନକରିବାକୁ ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦାଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି।