ଷ୍ଟାଫ ନର୍ସଙ୍କୁ ଅଶ୍ଳୀଳ ବ୍ୟବହାର କଲେ ଡାକ୍ତର

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ମେଡିକାଲ ପରିସରରେ ଡାକ୍ତର ଅଂସାରୀ ମାଝୀ ଜଣେ ଷ୍ଟାଫ ନର୍ସଙ୍କୁ ମଦ୍ୟପାନ କରି ମାଡ଼ ମାରିବା ସହ ଅଶ୍ଳୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଓରକେଲ ଥାନାରେ ନର୍ସ ଜଣକ ଲିଖିତ ଅଭିଯୋଗ କରିଛନ୍ତି। ଷ୍ଟାଫ ନର୍ସ ବିଷ୍ଣୁପ୍ରିୟା ବାଘଙ୍କ କହିବାନୁଯାୟୀ ଗୁରୁବାର ଅପରାହ୍ଣରେ ଡାକ୍ତର ଆଂସାରି ମାଝୀ ତାଙ୍କୁ ଲେବର ରୁମକୁ ଡାକିଥିଲେ।

ଡାକ୍ତର ମଦ୍ୟପାନ କରିଥିବା ଜାଣି ସେ ସେଠାକୁ ଯାଇନଥିଲେ। ତେବେ ନର୍ସ ଜଣକ ନିଜ ଡ୍ୟୁଟି ରୁମକୁ ଯିବା ସମୟରେ ଡାକ୍ତର ତାଙ୍କ ପଛରେ ରୁମ ମଧ୍ୟକୁ ପ୍ରବେଶ କରି ଅଶ୍ଳୀଳ ଭାଷା ପ୍ରୟୋଗ କରିବାସହ ତାଙ୍କ ଚୁଟିକୁ ଘୋଷାଡି ତଳେ ପକାଇ ଦେଇଥିଲେ। ଏଭଳି ଘଟଣା ଥରେ ନୁହେଁ ଆଗରୁ ମଧ୍ୟ ଡାକ୍ତର ଆଂସାରି ମାଝୀ ନର୍ସଙ୍କୁ ଶାରୀରିକ ଅତ୍ୟାଚାର ଦେଉଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଜଗଦୀଶ ବାରା କହିଛନ୍ତି। ଡାକ୍ତରଙ୍କ ମୋବାଇଲ ବନ୍ଦ ଥିବାରୁ ଯୋଗାଯୋଗ ହୋଇ ପାରିନାହିଁ।