ଫାର୍ମାସିଷ୍ଟ ବଢ଼ାଇଲେ ପ୍ରଶାସନର ଚିନ୍ତା, ୪ ପଞ୍ଚାୟତର ୧୨ ଗାଁ ସଟଡାଉନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବାଗଡିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଫାର୍ମାସିଷ୍ଟ ଗତ ୨୩ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ରୋଗୀ ଓ ଆଖପାଖ ଗ୍ରାମକୁ ଯାଇ ରୋଗୀଙ୍କ ଚିକିତ୍ସା କରିବାସହ ବଜାରରେ ମଧ୍ୟ ବୁଲାବୁଲି କରିଥିବା ତାଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡ଼ିଛି। ଫାର୍ମାସିଷ୍ଟଙ୍କ ଏହିପରି ଭୁଲ ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ନିଳମ୍ବିତ କରାଯାଇଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ସ୍ୱାସ୍ଥ୍ୟକେନ୍ଦ୍ର ଆଖପାଖର ୪ ଟି ପଞ୍ଚାୟର ୧୨ ଟି ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ସଟଡାଉନ କରାଯାଇଥିବା ଗ୍ରାମଗୁଡିକ ମଧ୍ୟରେ ଝାରମୁଣ୍ଡା ପଞ୍ଚାୟତର ଝାରମୁଣ୍ଡା, ତେଲିଡିହି, ଚରମରାଡିହି, ବରପାନ, ବିଜାପାଲି, କୁଲୁତମାଲ, ଭୀମଯୋର ପଞ୍ଚାୟତର ହଣ୍ଡାଟୁପା, ଭୀମଯୋର, ଭଉଁରା, ଜି ପାନପାଲି ପଞ୍ଚାୟତର ସାରସମାଲ, ତୁନବାଡିହି ଓ ନସ୍କାପାଲି ପଞ୍ଚାୟତର ରଙ୍ଗିଆଟିକ୍ରା ଓ ଉଚକାବାହାଲ ଗ୍ରାମ ରହିଛି।

ଏହି ଗ୍ରାମଗୁଡିକର କେବଳ ମେଡିସିନ ଦୋକାନ ଖୋଲିବାର ଅନୁମତି ପ୍ରଦାନ କରାଯାଇଥିବାବେଳେ ଅନ୍ୟସମସ୍ତ ଦୋକାନ ବଜାର ବନ୍ଦ ରହିଛି।  ସମସ୍ତଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ଫାର୍ମାସିଷ୍ଟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରହି ନିଜର ନାମ ପଞ୍ଜିକରଣ କରାନ୍ତୁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବାଗଡିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବା ସହ ସ୍ୱାବ ପରୀକ୍ଷଣ ପାଇଁ ପଠାଯାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଲ କରାଯାଇ କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।