କୃଷିମନ୍ତ୍ରୀଙ୍କ ମାଲକାନଗିରି ଜିଲ୍ଲାଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ। ମାଲକାନଗିରି ଡିଆରଡିଏ ସଭାଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଚଳିତବର୍ଷ ପ୍ରାଣୀ ସମ୍ପଦ, ମୃର୍ତ୍ତିକା ସଂରକ୍ଷଣ, ଉଦ୍ୟାନ, କୃଷିର ସମୀକ୍ଷା କରିଥିଲେ। ଏଥିରେ ମୁଖ୍ୟତଃ ଚଳିତ ଖରିଫଋତୁରେ ଚାଷୀମାନଙ୍କୁ ଅର୍ଥକାରୀ ଫସଲ ଉପରେ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ଜିଲ୍ଲାରେ ସାର ଓ ବିହନ ମହଜୁଦ ରଖିବାକୁ ପରାମର୍ଶ ଦେବାସହ ଚାଷୀମାନେ କିଭଳି ସାର ବିହନ ପାଇବେ, ସେ ଉପରେ ଆଲୋଚନା ହୋଇଥିଲା। ମତ୍ସ୍ୟଚାଷ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଓ ଭବିଷ୍ୟତରେ ଏଠାରେ କିଭଳି ଅଧିକ ଚାଷ କରାଯାଇପାରିବ ସେ ଉପରେ ମନ୍ତ୍ରୀ ଆଲୋଚନା କରିଥିଲେ।

ବିଶେଷ କରି ସ୍ୱାଭିମାନ ଅଞ୍ଚଳବାସୀ କିଭଳି ଅଧିକରୁ ଅଧିକ ମତ୍ସ୍ୟ ଚାଷକରି ଉପାର୍ଜନକ୍ଷମ ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଚାଷୀମାନେ କିଭଳି ବିଭିନ୍ନ ଅର୍ଥକାରୀ ଫସଲ ଉପରେ କରି ଅର୍ଥ ଉପାର୍ଜନ କରିବେ, ସେ ଉପରେ ଆଲୋଚନା କରାଯିବା ସହ ମାଲକାନଗିରି ଜିଲ୍ଲାକୁ ପଙ୍ଗପାଳକୁ ନେଇ କୌଣସି ଭୟ କରିବାର ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସାହୁ ଗଣମାଧ୍ୟକୁ ସୂଚନା ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସକେ ବଶିଷ୍ଠ, କୃଷି ବିଭାଗର ନିର୍ଦ୍ଦେଶକ ଏମ ମୁଥୁକୁମାରଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଏସପି ରିଷିକେଶ ଡି ଖିଲାରୀ ପ୍ରମୁଖ ଯୋଗ ଦେଇଥିଲେ।