ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସ୍ମୃତିରେ ଶୋକସଭା ହୋଇଯାଇଛି। ଏଥିରେ ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଗାଁ ପ୍ରତି ତାଙ୍କର ଅବଦାନକୁ ଗ୍ରାମବାସୀ ମନେପକାଇ ଝୁରିଥିଲେ। ଏଥିରେ ଜି.ଉଦୟଗିରି ବିଧାୟକ ସାମିଲ ହୋଇଥିଲେ। ଚନ୍ଦ୍ରକାନ୍ତଙ୍କ ସ୍ମୃତିରେ ରାଇକିଆ ବସଷ୍ଟାଣ୍ଡକୁ ସହିଦ ଚନ୍ଦ୍ରକାନ୍ତଙ୍କ ନାମରେ ନାମିତ କରିବା ପାଇଁ ପଦକ୍ଷେପ ନେବାସହ ଏକ ପ୍ରତ୍ତିମୂର୍ତ୍ତି ପାଇଁ ଉଦ୍ୟମ କରାଯିବା ବୋଲି କହିଥିଲେ।
ରାଇକିଆ ନାଗରିକ ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା ଯୋଗଦେଇ ମଞ୍ଚ ତରଫରୁ ସହିଦଙ୍କ ଉଦ୍ଦେଶ୍ୟରେ ମାନପତ୍ର ପ୍ରଦାନ ସହ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟର ତୁରନ୍ତ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାବି କରିଥିଲେ। ଚନ୍ଦ୍ରକାନ୍ତ ବିଅରପାଙ୍ଗା ଗ୍ରାମବାସୀଙ୍କ ପାଇଁ ପୂର୍ବରୁ ଏକ କମ୍ୟୁନିଟ ହଲ ନିର୍ମାଣ କରିବା ପାଇଁ ଉଦ୍ୟମ କରିଥିବାରୁ ତାହାକୁ ତୁରନ୍ତ ପୂରଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀ ଯୋଗଦେଇ ସାଂସଦଙ୍କ ତରଫରୁ ଯୋଗାଇଦିଆଯାଇଥିବା ସହାୟତା ପ୍ରଦାନ କରିଥିଲେ।