ପହଣ୍ଡିରେ ଅଣସେବାୟତଙ୍କ ପ୍ରବେଶକୁ ନେଇ ଉଠିଲା ପ୍ରଶ୍ନ

ରାୟଗଡ଼ା,ଏନ୍ଏନ୍ଏସ୍:ସୁପ୍ରିମକୋର୍ଟଙ୍କ କଟକଣା ପରେ କଡ଼ା ସୁରକ୍ଷା ମଧ୍ୟରେ ରାୟଗଡ଼ାରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ତେବେ ଏହି କଟକଣା ମଧ୍ୟରେ ଜଣେ ଅଣସେବାୟତ ଜଗନ୍ନାଥଙ୍କ ନିକଟରେ ପ୍ରବେଶ କରିବାକୁ ନେଇ ଉଠିଛି ପ୍ରଶ୍ନ। କୋଭିଡ ନିୟମ ମୁତାବକ ଜଗନ୍ନାଥଙ୍କ ପହଣ୍ଡି ଏବଂ ରୀତିକାନ୍ତୀ ପାଇଁ ୩୨ ଜଣ ସେବାୟତଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ରାଜପୁରୋହିତ ବାଲୁଙ୍କେଶ୍ୱର ଦାସ ଦେଇଥିଲେ । ତାଲିକା ମୁତବକ ସେବାୟତମାନଙ୍କୁ ଦେବୋତ୍ତର ବିଭାଗ ତରଫରୁ ପରିଚୟପତ୍ର ଦିଆଯାଇଥିଲା। ତେବେ ପହଣ୍ଡି ସମୟରେ ଗଙ୍ଗା ପ୍ରସାଦ ବ୍ରହ୍ମା ନାମକ ଜଣେ ବ୍ୟକ୍ତି ଜଗନ୍ନାଥଙ୍କ ପହଣ୍ଡିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

 

ତେବେ ପ୍ରଶାସନର କଡ଼ା ସୁରକ୍ଷା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି କିପରି ବିନା ପରିଚୟପତ୍ରରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡିରେ ସାମିଲ ହେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳିକି ଆଜି କୋଭିଡ୍ ନିୟମ ମୁତବକ ଜିଲ୍ଲାପ୍ରଶାସନ କୌଣସି ଗଣମାଧ୍ୟମକୁ ମନ୍ଦିରର ଭିତର ବେଢାକୁ ପ୍ରବେଶ କରାଇନଥିଲା। ତେବେ କିଭଳି ଜଣେ ଅଣସେବାୟତଙ୍କ ମନ୍ଦିର ଭିତର ବେଢାରେ ପ୍ରବେଶ କରିବା ସହ ଜଗନ୍ନାଥଙ୍କ ପହଣ୍ଡିରେ ସାମିଲ ହେଲେ ସେନେଇ ବିବାଦ ଘନେଇଛି । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ଉମାଶଙ୍କର ବେହେରାଙ୍କୁ ପଚାରିବାରୁ ଏଭଳି ଭୁଲକୁ ସ୍ୱୀକାର କରିଥିବାବେଳେ କେବଳ ଆମେ ପରିଚୟପତ୍ର ପ୍ରଦାନ କରିଥିଲୁ ପୁଲିସ ବିଭାଗର ସୁରକ୍ଷା ଦାୟିତ୍ୱ। ତେଣୁ କାହାକୁ ଛାଡିବେ ନ ଛାଡିବେ ସେକଥା ପୁଲିସ ବିଭାଗ କହିପାରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏସଡିପିଓ ରାୟଗଡ଼ ତପନ ନାରାୟଣ ରଥଙ୍କ ସହିତ ଯୋଗାଯୋଗ କରିବାରୁ ସେବାୟତଙ୍କୁ ଛାଡି ଅନ୍ୟକିଛି ଲୋକଙ୍କୁ ପାସ ଦିଆଯାଇଥିବା ପ୍ରକାଶ କରିଛନ୍ତି।