ଜାଲନୋଟ୍ କାରବାରର ପର୍ଦ୍ଦାଫାଶ କଲା ଫିରିଙ୍ଗିଆ ପୁଲିସ,ମୁଖ୍ୟ ଅଭିଯୁକ୍ତ ଗିରଫ, କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ

ଫୁଲବାଣୀ,ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ରବିବାର ଜାଲନୋଟ କାରବାରର ପର୍ଦ୍ଦଫାଶ କରିଛି। ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଏକ ଟାଟା ସୁମୋ ଉପରେ ସନ୍ଦେହରେ ଚଢ଼ଉ କରିଥିଲା। ଏଥିରୁ ୩୦ କେଜି ଗଞ୍ଜେଇ ସହ ୧ ଲକ୍ଷ ୧୩ ହଜାର ଟଙ୍କାର ଜାଲି ନୋଟ ଜବତ କରିଥିଲା। ଏହି ଘଟଣାରେ ପୁଲିସ କନଷ୍ଟେବଲ ବସନ୍ତ ନାହକଙ୍କ ସମେତ ଫୁଲବାଣୀର ମଧୁସୂଦନ ଦିଗାଲ ଓ ବଳଭଦ୍ର ଦିଗାଲ ପ୍ରମୁଖ ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ। ସେମାନଙ୍କୁ ଜେରାବେଳେ ଫୁଲବାଣୀ ଚିତ୍ରକୁଟ ସାହିର ରମେଶ ନାୟକଙ୍କ ପୁଅ ଆକାଶ ନାୟକଙ୍କ ନିକଟରୁ ସେମାନେ ଏହି ଜାଲ ନୋଟ ଆଣି ଗଞ୍ଜେଇ କାରବାର କରୁଥିବା କହିଥିଲେ। ପୁଲିସ ୨୨ ତାରିଖରେ ଫୁଲବାଣୀ ଚିତ୍ରକୁଟ ସାହିସ୍ଥିତ ରମେଶ ନାୟକଙ୍କ ଘର ଉପରେ ଚଢ଼ଉ କରି ସେଠାରେ ଜାଲନୋଟ୍ କାରଖାନା ଠାବ କରିବା ସହ ମୁଖ୍ୟ ଅଭିଯୁକ୍ତ ଆକାଶ ନାୟକଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ସେଠାରୁ ଏକ କମ୍ପ୍ୟୁଟର, ସ୍କାନର ଓ ଏକ ପ୍ରିଣ୍ଟର ଜବତ କରିଛି। ଏହି ଜାଲ ଟଙ୍କା କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଥିବା ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।