ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ବାରିପଦା,ଏନ୍ଏନ୍ଏସ୍: ମହାପ୍ରଭୁ ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ରୂପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପ୍ରତ୍ୟେକ ଦିନ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ମାନବଗହଣରେ ବିଜେ ହୋଇଥିବାରୁ ମାନବୀୟ ଲୀଳାରେ ତାଙ୍କର ଦୈନନ୍ଦିନ ନୀତି ଓ ପୂଜାର୍ଚ୍ଚନା ହୋଇଆସୁଛି। ସକାଳ ସମୟର ନିଦ୍ରାଭଙ୍ଗଠାରୁ ଆରମ୍ଭ ହୋଇ ଦନ୍ତ ଶୋଧନ, ସ୍ନାନ, ଭୋଜନ ଆଦି ସମସ୍ତ ଆଙ୍ଗିକ କର୍ମଗୁଡ଼ିକ ସମ୍ପାଦିତ ହୋଇଥାଏ । ମହାପ୍ରଭୁଙ୍କ ଯାତ୍ରାମାନଙ୍କ ମଧ୍ୟରେ ସ୍ନାନଯାତ୍ରା ଆଦ୍ୟଯାତ୍ରା ଭାବେ ପାଳିତ ହୋଇଥାଏ। ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସର ଗୃହରେ ପ୍ରବେଶ କରି ବାଉଁଶ ତାଟିର ଆବରଣ ମଧ୍ୟରେ ରହିଥିବା ବେଳେ ଗୋପନରେ ସମସ୍ତ ସେବାକର୍ମ ସମ୍ପନ୍ନ କରାଯାଇଥାଏ।

ଷୋଡ଼ଶ ଦିବସରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ପାଳିତ ହୋଇଥାଏ। ଏହାକୁ ଦର୍ଶନଲାଭ କରୁଥିବା ଭକ୍ତମାନେ ଭବସାଗରରୁ ପାର ହୋଇ ଶ୍ରୀହରିଙ୍କର ଦେବଦୁର୍ଲଭ ସ୍ଥାନକୁ ଅର୍ଥାତ୍ ବୈକୁଣ୍ଠ ପ୍ରାପ୍ତି ହେଉଥିବାର ବିଶ୍ୱାସ କରାଯାଏ। କିନ୍ତୁ କରୋନାକୁ ନେଇ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କ ମନ୍ଦିର ପରିଚାଳନା କମିଟି ଏବଂ ପ୍ରଶାସନିକ କଟକଣା ଭକ୍ତମାନଙ୍କୁ ଏଥିରୁ ବଞ୍ଚିତ କରାଇଦେଇଛି।

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଅଣସର ନୀତି ଜୁନ୍ ୧୯ ଶୁକ୍ରବାର ସମାପନ ହୋଇଥିଲା। ଉକ୍ତ ଦିବସରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି ୭ରୁ ୯ ମଧ୍ୟରେ ଅଧିବାସ ନୀତି ସମ୍ପନ୍ନ ହୋଇଥିଲା। ଶନିବାର ସକାଳେ ନେତ୍ରଲାଗି, ୧୧ଟାରୁ ପ୍ରତିଷ୍ଠା ଓ ନେତ୍ର ଉତ୍ସବ ପୂଜା ସମାପନ ହୋଇଥିଲା। ସେହିପରି ଅପରାହ୍ଣ ୫ରୁ ସନ୍ଧ୍ୟା ୭ ମଧ୍ୟରେ ଅବକାଶ ନୀତି ସହିତ ନେତ ବନ୍ଧନ ଆଦି ପୂଜାର୍ଚ୍ଚନା ସମ୍ପନ୍ନ ହେବାପରେ ସନ୍ଧ୍ୟା ସାଢ଼େ ୭ରୁ ୧୧ଟା ମଧ୍ୟରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତେ। ସେହିପରି୨୩ ତାରିଖ ସକାଳ ୭ଟାରୁ ୧୦ଟା ମଧ୍ୟରେ କଳସ ସହିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପ୍ରତିଷ୍ଠା ହେବାପରେ ୧୧ଟା ମଧ୍ୟରେ ଶ୍ରୀ ମା’ ଅମ୍ବିକା ଠାକୁରାଣୀଙ୍କ ଦାସୀଙ୍କ ଦ୍ୱାରା ରଥ ପ୍ରଦକ୍ଷଣ ସମ୍ପନ୍ନ ହେବ।

ଅପରାହ୍ଣ ୩ରୁ୪ଟା ମଧ୍ୟରେ ଚକାଛଡ଼ା, ୪ଟାରୁ ସାଢ଼େ ୪ ମଧ୍ୟରେ ପରିଚ୍ଛାଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ସମାପନ ହେବା ପରେ ପରେ ମହାପ୍ରଭୁମାନଙ୍କୁ ଗୋଟି ପହଣ୍ଡି ବିଜେରେ ବାହାରି ରଥାରୂଢ଼ ହେବେ ଏବଂ ରଥଖଳାରେ ସାରାରାତି ଅବସ୍ଥାନ କରିବା ପରେ ୨୪ ଓ ୨୫ରେ ରଥଟଣା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଆରମ୍ଭ ହୋଇଥାନ୍ତା। ମାତ୍ର ଗତ ଜୁନ୍ ୧୭ରେ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୂ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମହାପ୍ରଭୂଙ୍କ ରଥା ଯାତ୍ରା, ବାହୁଡ଼ାଯାତ୍ରା ଏବଂ ତତ୍ ସଂଲଗ୍ନ ଅନ୍ୟାନ୍ୟ ଉତ୍ସବ ଆଦିକୁ ମନ୍ଦିର ପରିସରରେ କେବଳ ସେବାୟତମାନଙ୍କ ଦ୍ୱାରା ଯଥାବିଧି ନୀତିକାନ୍ତୀ ସହ ସମ୍ପନ୍ନ କରାଯିବାର ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ।