ଦେବଗଡ଼,ଏନ୍ଏନ୍ଏସ୍ : ଜନସାଧାରଣଙ୍କୁ ସରକାରଙ୍କ ଯୋଜନା ଓ ସରକାରୀ ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ କୃଷି, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପୁଲିସ, ଶିକ୍ଷା, ପଞ୍ଚାୟତିରାଜ ଭଳି ବହୁ ବିଭାଗକୁ ରାଜ୍ୟ ସରକାର ମୋ ସରକାର ଅଧୀନକୁ ଆଣିଥିଲେ । ଆଶା ଥିଲା କି ଏହା ଫଳରେ ସରକାରୀ କଳରେ ସ୍ୱଚ୍ଛତା ଆସି ପାରିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି, ମାତ୍ର କେତେକ ଅମାନିଆ ଅଧିକାରୀଙ୍କ ପାଇଁ ଏହି କାର୍ୟ୍ୟକ୍ରମ ଲକ୍ଷ୍ୟଚୁତ
ହୋଇପଡିଛି। ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଭାଗର ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମୋବାଇଲ ଫୋନ ନମ୍ବର ବ୍ୟବସ୍ଥା କରାଯାଇ ସେଥିପାଇଁ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ କରଯାଇ ରିଚାର୍ଜ ମଧ୍ୟ କରାଯାଉଥିଲା ବେଳେ ଅନେକ ବିଭାଗ ର ଅଧିକାରୀ ଙ୍କ ସରକାରୀ ମୋବାଇଲ ନମ୍ବର ରିଚାର୍ଜ ଅଭାବରୁ ଇନକମିଙ୍ଗ କଲ ସୁବିଧା ବନ୍ଦ ରହିଛି। ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ବିଭାଗରେ କାର୍ୟ୍ୟରତ ଯନ୍ତ୍ରୀମାନଙ୍କ ସରକାରୀ ମୋବାଇଲ ନମ୍ବର ରିଚାର୍ଜ ଅଭାବରୁ ଅଚଳ ଥିବାବେଳେ କୌଣସି ସୂଚନା ପାଇଁ ଉକ୍ତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ପଡୁଥିଲେ ମଧ୍ୟ ଉକ୍ତ ସୂଚନା ମିଳିବା କଷ୍ଟ ହୋଇପଡୁଛି।
