ପୁରୀ,ଏନ୍ଏନ୍ଏସ୍: ମାନ୍ୟବର ସୁପ୍ରିମକୋର୍ଟ ଚଳିତବର୍ଷ ପୁରୀ ସମେତ ଓଡିଶାର କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାୟ ଦେଇଥିବାରୁ ଏହାର ଶାସ୍ତ୍ର ଓ ପରମ୍ପରା ସମ୍ମତ ବିକଳ୍ପ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଛତିଶା ନିଯୋଗ ଓ ପୁରୀ ଗୋବର୍ଦ୍ଧନ ପୀଠର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯାଇ ଏଭଳି ଅଭୁତ ପୂର୍ବ ପରିସ୍ଥିତିରେ କିପରି ଶ୍ରୀମନ୍ଦିର ଭିତରେ ରଥଯାତ୍ରାର ବିଧି ରକ୍ଷା କରାଯାଇପାରିବ ତାହା ଚୂଡାନ୍ତ କରାଯିବ। ସୁପ୍ରିମକୋର୍ଟଙ୍କ ରାୟର ପୃଷ୍ଠଭୂମିରେ ଶୁକ୍ରବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତିଗ୍ରହଣ କରାଯାଇଛି। ଗଜପତି ମହାରାଜା ତଥା ପରିଚାଳନା କମିଟିର ସଭାପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସୁପ୍ରିମକୋର୍ଟ ଦେଇଥିବା ରାୟ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିବାରୁ ଏହାର ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଥିଲା ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ କରାଯିବାକୁ ସ୍ଥିରୀକୃତ ହୋଇଥିଲା
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ପ୍ରକାଶ କରିଥିଲେ ଯେ ସୁପ୍ରିମକୋର୍ଟଙ୍କ ରାୟ ଦୃଷ୍ଟିରୁ ବାହାରେ ରଥଯାତ୍ରା ହୋଇପାରିବ ନାହିଁ। ତେଣୁ ଘୋଷଯାତ୍ରା ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉମାନଙ୍କ ୭ଦିନ ଅବସ୍ଥାନ, ବାହୁଡା ଯାତ୍ରା, ଅଧରପଣା ଆଦି ନୀତି ଚଳିତବର୍ଷ ସମ୍ଭବ ହେବ ନାହିଁ। ସାରା ବିଶ୍ୱରେ କୋଭିଡ ସଂକ୍ରମଣ କାରଣରୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଓ ରାଜ୍ୟ ସରକାର ମନ୍ଦିର ଭିତରେ କିପରି ରୀତିନୀତି ପାଳନ କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ ପରିଚାଳନା କମିଟିକୁ କହିଛନ୍ତି। ଏ ବିଷୟରେ ବୈଠକରେ ସମିତି ସଦସ୍ୟମାନେ ନିଜ ନିଜର ମତାମତ ପ୍ରକାଶ କରିଥିଲେ। ଶେଷରେ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଏଭଳି ପରିସ୍ଥିତି ଇତିହାସରେ କେବେ ସୃଷ୍ଟି ହୋଇନାହିଁ। କରୋନା ସଂକ୍ରମଣ ଯୋଗୁଁ ରଥଯାତ୍ରା ବନ୍ଦ ହୋଇଛି। ଛତିଶା ନିଯୋଗ ସହ ଆଲୋଚନା କରି ରଥଯାତ୍ରା ନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତିି ନିଆଗଲା। ଆଜିର ପରିଚାଳନା କମିଟି ବୈଠକରେ କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ସିଦେ୍ଧଶ୍ୱର ମହାପାତ୍ର, ସଚ୍ଚିଦାନନ୍ଦ ଦାସଜୀ ମହାରାଜ, ରଘୁନାଥ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଓ ଏସପି ଡା. ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।