୭୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଥମଥର ପାଇଁ ୭୦ଲକ୍ଷ ଟଙ୍କାର ବ୍ରାଉନସୁଗର କମିଶନରେଟ୍ ପୁଲିସ ଜବତ କରିଛି। ଇତିହାସରେ ଏତେ ପରିମାଣରେ ବ୍ରାଉନସୁଗର କେବେ କମିଶନରେଟ ପୁଲିସ ଜବତ କରିନଥିଲା। କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ରାଜ୍ୟରୁ କୋଟିକୋଟି ଟଙ୍କାର ବ୍ରାଉନସୁଗର ଜବତ କରୁଥିବାବେଳେ କମିଶନରେଟ ପୁଲିସ ଛୋଟ ନିଶାମାଫିଆଙ୍କୁ ଧରୁଥିଲା। ଏହି ଘଟଣା ପରେ କମିଶନରେଟ ପୁଲିସର ସଫଳତା ଫର୍ଦ୍ଦରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି। କ୍ୟୁଏଟି(କୁଇକ୍ ଆକ୍ସନ ଟିମ୍) ଓ ଜଟଣୀ ଥାନା ପୁଲିସ ମିଳିତ ଭାବେ ଶୁକ୍ରବାର ଦୁଇ ବ୍ରାଉନସୁଗର ବେପାରୀଙ୍କ ଉପରେ ଚଢ଼ଉ କରିଥିଲେ। ସେମାନଙ୍କଠାରୁ ୭୦୬ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରିଛନ୍ତି। ଯାହାର ବଜାର ମୂଲ୍ୟ ପାଖାପାଖି ୭୦ଲକ୍ଷ ୬ହଜାର ଟଙ୍କା ହେବ। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନରଣଗଡ଼ର ସୌମ୍ୟରଞ୍ଜନ ବଳିଆରସିଂ ଓରଫ କୁଲୁ(୨୫) ଓ ରଞ୍ଜିତ ନାୟକ ଓରଫ ରାଜୁ(୪୫)।

ଏମାନଙ୍କଠାରୁ ବ୍ରାଉନସୁଗର ସମେତ ପୁଲିସ ଗୋଟିଏ କାର୍‍, ୧୮୨୦ ଟଙ୍କା ଓ ମୋବାଇଲ୍ ଫୋନ୍‍ ଜବତ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଦୁହିଁଙ୍କ ନାମରେ ପୂର୍ବରୁ ନିଶା କାରବାର ଭଳି ଅନେକ ମାମଲା ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହାସହ ଏହି ନିଶା କାରବାରର ମୁଖ୍ୟ କିଙ୍ଗ୍ପିନ୍କୁ ପୁଲିସ ଖୋଜୁଛି। କିଙ୍ଗପିନ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ପୁଲିସ କୁଲୁ ଓ ରାଜୁକୁ ରିମାଣ୍ଡରେ ନେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।