ରଥଯାତ୍ରା ଉପରେ ଲାଗିଲା ରୋକ

ରାୟଗଡା,ଏନ୍ଏନ୍ଏସ୍ : ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ଗଡିବନ ରଥ। ବିନା ଭକ୍ତରେ ହେବ ମନ୍ଦିର ବେଢ଼ାରେ ସମ୍ପର୍ଣ୍ଣ ହେବ ଗୁଣ୍ଡିଚାଯାତ୍ରାର ସମସ୍ତ ବିଧିବିଧାନ । ଏନେଇ ଆଜି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଅଧକ୍ଷତାରେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ, ଦେବତର ବିଭାଗର ଅଧିକାରୀ ଏବଂ ଜିଲ୍ଲାରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ଦୁଇ ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କ ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ପ୍ରକାଶ କରିବା ସହ କେବଳ ପରମ୍ପରା ବଜାଇ ରଖିବା ପାଇଁ ମନ୍ଦିର ବେଢ଼ାରେ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ନିର୍ମାଣକରି ପୁଜା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏପରି ନିଷ୍ପତି ପରେ ଉପସ୍ଥିତ ଥିବା ବିଭିନ୍ନ ମନ୍ଦିରର ପରିଚାଳନା କମିଟିର ସଦସ୍ୟମାନେ ବିଚଳିତ ହୋଇଥିଲେ। ଶ୍ରଦ୍ଧା ଶ୍ରୀକ୍ଷେତ୍ରର ରାଜପୁରୋହିତ ଶ୍ରୀ ବାଲୁଙ୍କେଶ୍ୱର ଦାସ କେବଳ ଅଳ୍ପ ସଂଖ୍ୟକ ସେବାୟତଙ୍କ ଗହଣରେ ତିନି ଠାକୁରଙ୍କ ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ନେବାକୁ ଅନୁରୋଧ କରାଯାଇଥିବା ବେଳେ ଜିଲ୍ଲାପାଳ ଏହାକୁ ପ୍ରତ୍ୟାଖାନ କରିଥିବା କହିଛନ୍ତି ଶ୍ରୀ ଦାସ । ତେବେ ଠାକୁରଙ୍କ ସେବା ନିତି ଉପରେ କଟକଣା କରି ପ୍ରଶାସନ କିଛି ଠିକ କରୁ ନାହାଁନ୍ତି ହୋଲି କ୍ଷୋଭ କରିଛନ୍ତି ରାଜପୁରୋହିତ ଶ୍ରୀଦାସ । ସେପଟେ ଏହି ବୈଠକରେ ଉପସ୍ଥିତ ଥିବା ଜଗନ୍ନାଥ ପ୍ରେମୀମାନେ ନିୟମକୁ କୋହଳ କରି ରଥଯାତ୍ରା କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ ।

ଏନେଇ ଆଜି ଗଣମାଧ୍ୟମକୁ ସୁଚନା ଦେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଏବଂ ରାଜ୍ୟ ସରକାରଙ୍କ କୋଭିଡ଼-୧୯ ଆଇନ ବଳରେ ଧାର୍ମିକ ସମାବେଶ ଉପରେ କଟକଣା ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବର୍ତମାନ ସ୍ଥିତିରେ କେବଳ କିଛି ସେବାୟତଙ୍କ ଦ୍ୱାରା ମନ୍ଦିର ବେଢ଼ା ମଧ୍ୟରେ ପରମ୍ପରା ଏବଂ ରିତିନିତିକୁ ବଂଚାଇ ଅସ୍ଥାୟୀ ମଣ୍ଡପ ନିର୍ମାଣ କରି ୯ ଦିନ ଯାତ୍ରା କରାଯିବ । ତେବେ ଏହି ୯ ଦିନ ଯାତ୍ରା ସମୟରେ କେବଳ ଅନୁମତିପ୍ରାପ୍ତ ସେବାୟତ ହିଁ ପୁଜା ଅର୍ଚ୍ଚନା କରିପାରିବେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ମନା ରହିଥିବା ଜିଲ୍ଲାପାଳ କହିଛନ୍ତି ।

ଏଥି ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଏକ ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପ ନିର୍ମାଣ କରାଯାଇ ରୀତି, ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ବୋଲି ସୁଚନା ଦେଇଛନ୍ତି ରାୟଗଡ଼ା ତହସିଲଦାର ତଥା ଦେବତର କାର୍ଯ୍ୟନିର୍ବାହି ଅଧିକାରୀ ଉମାଶଙ୍କର ବେହେରା । ତେବେ ଏଥର ଭକ୍ତ ଚଳିତ ବର୍ଷ ରାୟଗଡା ସହରର ରଥଯାତ୍ରା ହେବ ନାହିଁ ବୋଲି ଜଣାପଡିବା ପରେ ସହରର ଜଗନ୍ନାଥପ୍ରେମୀ ମନରେ ଗଭୀର ଆଘାତ ଲାଗିଛି ।