ସରକାରୀ ସହାୟତା ସାତସପନ : ଭଙ୍ଗା ଦଦରା କୁଡିଆ ହିଁ ଭରସା

ବରଗଡ,ଏନ୍ଏନ୍ଏସ୍ : କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲୁଛନ୍ତି । ହେଲେ ଉକ୍ତ ଯୋଜନା ଗୁଡିକ ଗରିବ ଲୋକଙ୍କ ପାଖକୁ ପହଂଚିବା ବଦଳରେ ବାଟମାରଣା ହେଉଥିବା ଦୃଷ୍ଟାନ୍ତ କାହାକୁ ଅଛପା ନୁହେଁ । ଏପରି ସ୍ଥିତିରେ ଗରିବ ଲୋକ ଆହୁରି ଗରିବ ହୋଇଯାଉଛନ୍ତି । ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବରଗଡ଼ ସଦର ବ୍ଳକ ଗୁଡେଶିରା ପଂଚାୟତର ଜାମପାଲି ଗ୍ରାମରେ।

ଜିଲ୍ଳା ସଦର ମହକୁମାରୁ ୭ କିଲୋମିଟର ଦୂରରେ ରହିଛି ଜାମପାଲି ଗ୍ରାମ । ଗୁଡେଶିରା ପଂଚାୟତର ଏହି ଗ୍ରାମରେ ବହୁ ଗରିବ ଜନସାଧାରଣ ସରକାରଙ୍କ ପକ୍କା ଗୃହ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଭାବରେ ଯଶୋବନ୍ତ ବାଗକୁ ନିଆଯାଇପାରେ । ଯଶୋବନ୍ତ ବାଗ ଦୀର୍ଘ ଦିନ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆବେଦନ କରିଥିଲେ ସୁଦ୍ଧା ଆଜି ଯାଏ ତାହା ସରକାରଙ୍କ ନାଳିଫିତା ତଳେ ଚାପି ହୋଇ ରହିଯାଇଛି । ଯଶୋବନ୍ତ ନିଜ ଭଙ୍ଗାଦଦରା ଘରେ ପ୍ଳାଷ୍ଟିକ ଖଣ୍ଡିଏ ଢ଼ାଙ୍କି ବସବାସ କରୁଛି । ବର୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଯଶୋବନ୍ତ ପରିବାର ନେଇ କେଉଁଠି ରହିବ ତାକୁ ନେଇ ଚିନ୍ତିତ ହୋଇପଡିଛି ।

ଅନୁରୂପ ଭାବେ ଜାମପାଲି ଗ୍ରାମର ସୁଲୋଚନା ବାଗଙ୍କ ଅବସ୍ଥା ମଧ୍ୟ ସେହି ସମାନ। ସ୍ୱାମୀ ଆରପାରିକୁ ଚାଲିଯାଇଥିବା ବେଳେ ଏକମାତ୍ର ଝିଅକୁ ନେଇ ଘର ସଂସାର । ଦୀର୍ଘ ଦିନ ହେବ ସୁଲୋଚନାଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିବା ବେଳେ ପଳିଥିନ ହିଁ ଏକମାତ୍ର ଭରସା ପାଲଟିଛି। ଅନୁରୂପ ଭାବରେ ଶିବ ବାଗ, ଗଣେଣ ବାଗ ପରି ଦିନ ମଜୁରିଆଙ୍କ ଘର କଥା କିଏ ବା ପଚାରେ । କାହାର ଚାଳଛପର ଉଡି ଯାଇଥିବା ବେଳେ କାହାର ଘର କାନ୍ଥ ଭାଙ୍ଗି ଯାଇଛି । ଫଳରେ ସେମାନେ ନିଜ ନିଜ ଘରେ ପ୍ଳାଷ୍ଟିକ ଘୋଡାଇ ଜୀବନ ଅତିବାହିତ କରୁଛନ୍ତି ।

ଏମାନଙ୍କ ଭଙ୍ଗାଦଦରା ଘର ହିଁ ଏକମାତ୍ର ସାହାଭରସା। ଦୀର୍ଘ ଦିନ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କି ବିଜୁ ପକ୍କା ଘର ଏହି ଗରିବମାନଙ୍କ ପାଖରେ ଅପହଂଚ ହୋଇପଡିଛି । ଆବାସ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏହି ଗରିବ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ଯୋଜନା କାହା ପାଇଁ ବୋଲି କ୍ଷୋଭର ସହ କହିଛନ୍ତି ।