ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଜଣେ କରୋନା ପଜଟିଭ ଚିହ୍ନଟ ହୋଇଥିବାବେଳେ ୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିହ୍ନଟ କରୋନା ରୋଗୀ ଜଣକ ବେଲପାହାଡ଼ ରେଲୱେ କଲୋନୀରେ ରହୁଥିବା ଜଣେ ୩୭ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି। ସେ ଗତ ୧୨ ତାରିଖରେ ପଶ୍ଚିମବଙ୍ଗରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିଲେ। ଗତ ୧୪ ତାରିଖ ଦିନ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଛି। ପରେ ତାଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏଥିସହିତ ସ୍ଥାନୀୟ ଅଂଚଳକୁ ସାନିଟାଇଜ କରାଯିବା ସହ ବାଉଁଶ ବାଡ଼ ଦେଇ ସିଲ କରାଯାଇଛି।
ଅନ୍ୟପଟେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ପୁରୁଷ (୩୫), ମହିଳା(୨୩), ୯ ଓ ୨ ବର୍ଷର ଦୁଇ ଝିଅ ସୁସ୍ଥ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ଏଯାବତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ଚିକିତ୍ସା ଜାରି ରହିଛି।