ଭୁବନେଶ୍ୱର/ଫୁଲବାଣୀ,ଏନ୍ଏନ୍ଏସ୍: ଲଦାଖର ଗଲଓ୍ୱାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ଘଟଣାରେ ସୋମବାର ଜଣେ କର୍ଣ୍ଣେଲଙ୍କ ସହିତ ଭାରତର ୨୦ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଓଡିଶାର ୨ ଯବାନ ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ଅନ୍ୟଜଣେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଯବାନ ନନ୍ଦୁରାମ ସୋରେନ। ତେବେ ଏନେଇ ସରକାରୀ ସ୍ଥରରେ କୌଣସି ସୂଚନା ଦିଆଯାଇନଥିବା ବେଳେ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ସହିଦ ଚନ୍ଦ୍ରକାନ୍ତଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେଓରପଙ୍ଗା ଗାଁରେ ବୋଲି ଜଣାପଡିଛି। ଚନ୍ଦ୍ରକାନ୍ତଙ୍କ ମାଆଙ୍କ କହିବା ଅନୁସାରେ ୬ ବର୍ଷ ପୂର୍ବେ ଚନ୍ଦ୍ର କାନ୍ତ ବିହାର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ। ଲଦାଖରେ ୨ ବର୍ଷ ତଳେ ପୋଷ୍ଟିଂ ହେବା ପରେ ଏଲଏସିରେ ଡ୍ୟୁଟି କରୁଥିଲେ।
ସେହିପରି ମୟୁରଭଞ୍ଜର ନନ୍ଦୁରାମ ସୋରେନ ମଧ୍ୟ ବିହାର ରେଜିମେଣ୍ଟ ବୋଲି ଜଣାପଡ଼ିଛି। ଆସନ୍ତାକାଲି ତାଙ୍କ ମରଶରୀର ଆସି ଗାଁରେ ପହଞ୍ଚିବ ବୋଲି ସୂଚନା ମିଳିଛି।