ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଆଜି ଭୁବନେଶ୍ବରର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ତେବେ ଲିଭର ଜନିତ ରୋଗରେ ତାଙ୍କର ମୃତ୍ୟୁ ହୋଇଥିବା ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ପ୍ରାୟ ଦେଢ଼ମାସ ହେବ ସେ ହୃଦରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କୁ ଗତ କିଛିଦନ ତଳେ ଦିଲ୍ଲୀ ଏମ୍ସରେ ମଧ୍ୟ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅନେକାଂଶ ସୁଧାର ଆସିବାରୁ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇଥିଲା। ତେବେ ଆଜି ସକାଳେ ସାଢ଼େ ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ଖବରପାଇ ଭାରତୀୟ ଜନତା ପାର୍ଟିର ବରିଷ୍ଠ ରାଜନେତାମାନେ ତାଙ୍କ ଶେଷ ଦର୍ଶନ କରିଛନ୍ତି।
ଏଥିସହିତ ତାଙ୍କ ବିୟୋଗରେ ବିଜେଡି ଓ କଂଗ୍ରେସର ତାଙ୍କ ସମସାମୟିକ ରାଜନେତାମାନେ ଶୋକ ପ୍ରକାଶ କରିଛନ୍ତି।
ଶ୍ରୀ ଦତ୍ତ ୨୦୧୯ ନିର୍ବାଚନରେ ବିପୁଳ ଭୋଟରେ ବାଲେଶ୍ୱର ସଦର ବିଧାୟକ ଭାବରେ ବିଜୟୀ ହୋଇଥିଲେ। ଶ୍ରୀ ଦତ୍ତ ପୂର୍ବତନ ରେମୁଣା ବ୍ଲକ ଚେୟାରମ୍ୟାନ ଓ ବାଲେଶ୍ୱର ଜିଲ୍ଲା ପରିଷଦରେ ଉପସଭାପତି ଭାବେ ବିଜୟୀ ହୋଇଥିଲେ। ସେହିପରି ପୂର୍ବରୁ ୨ଥର ବିଜେପି ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ନିଭାଇଛନ୍ତି ଶ୍ରୀ ଦତ୍ତ।