ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ଆଜି ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ପାର ମୁଣ୍ଡା।

ସୂଚନା ଅନୁସାରେ ସେ ସକାଳୁ ଶୌଚ ହେବା ପାଇଁ ପୋଇପାଣି ଜଙ୍ଗଲକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ସେଠାରେ ପାର ମୁଣ୍ଡାଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଯାଇଥିଲେ। ପରେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବର୍ତ୍ତମାନ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଅନ୍ୟପଟେ ପୋଇପାଣି ଗାଁ ପାଖ ଜଙ୍ଗଲରେ ଏକ ଦନ୍ତାହାତୀ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀ ଉପରେ ନଜର ରଖିଛି।