ଭାଲୁ ଆକ୍ରମଣରେ ଗଲା ୨ ଜଣଙ୍କ ଜୀବନ

ରେଢ଼ାଖୋଲ,ଏନ୍ଏନ୍ଏସ୍: ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ଟାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ବଡ଼ବାହାଲ ରେଞ୍ଜ ବଣିଆବନ୍ଧ ଗ୍ରାମର କିଛି ଲୋକ ରଜ ପର୍ବ ଅବସରରେ ଜଙ୍ଗଲକୁ ମହୁ ଖାଇବା ପାଇଁ ଯାଇଥିଲେ। ହଠାତ୍ ଏକ ଜଙ୍ଗଲୀ ଭାଲୁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ବଣିଆ ବନ୍ଧ ଗ୍ରାମର ଚେରୁ ମୁଣ୍ଡା(୫୦) ଓ କୃଷ୍ଣ ମୁଣ୍ଡା (୪୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ସେହିପରି ସାଙ୍ଗରେ ଥିବା ଅଷାଢୁ ମୁଣ୍ଡା (୪୦)ଗୁରୁତର ହୋଇଥିଲେ। ତେବେ ଆଉ ଦୁଇଜଣ ସୁବଳ ମୁଣ୍ଡା ଓ ସୁବନ ମୁଣ୍ଡା ଜୀବନ ବିକଳରେ ଏକ ଗଛ ଉପରକୁ ଚଢ଼ି ଯାଇଥିଲେ।

ନରହନ୍ତା ଭାଲୁର ଚିତ୍କାର ଏତେ ଭୟଙ୍କର ଥିଲା ଯେ ପାଖକୁ କେହି ଯିବା ପାଇଁ ମଧ୍ୟ ସାହସ କରି ଳନଥିଲେ। ଗ୍ରାମବାସୀ ଏନେଇ ବନବିଭାଗକୁ ସୂଚନା ଦେବା ସହ ଗ୍ରାମବାସୀ ଏକତ୍ରିତ ହୋଇ ଘଟଣାସ୍ଥଳକୁ ଯାଇ ଭାଲୁ ଘଉଡ଼ାଇ ଥିଲେ ଓ ଗଛ ଉପରେ ଥିବା ସୁବଳ ଓ ସୁବନଙ୍କୁ ଉଦ୍ଧାର କରିଥିଲେ।