ରାମନାଗୁଡା ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଚାଲୁରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ତଦାରଖ ପାଇଁ ଆଜି ରାୟଗଡ଼ା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିଶେଷ ଭାବରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ମନରେଗା କାର୍ଯକୁ ଗୁରୁତ୍ୱ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରାମନାଗୁଡା ବ୍ଲକର ଶୁଣ୍ଢିଢାମୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଲୁପାଇ ଗ୍ରାମରେ ମନରେଗା ଯୋଜନାରେ ଚାଲୁରହିଥିବା ନୂତନ ପୋଖରୀ ଖନନ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ବୁଲିଦେଖିଛନ୍ତି। ଏଥି ସହ ଶ୍ରମିକମାନେ ମଜୁରୀ ଠିକ ଭାବରେ ପାଉଛନ୍ତି ନାହିଁ ପଚାରି ବୁଝିବା, ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଚାଉଳ ପାଉଛନ୍ତି କି ନାହି ପଚାରି ବୁଝିଥିଲେ।

ଏହାପରେ ଜିଲ୍ଲାପାଳ ଆଲୁବାଡି ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ସିମେଣ୍ଟ କଂକ୍ରିଟ କେନାଲ ନିର୍ମାଣ କାମ ବୁଲିଦେଖିଥିଲେ। ନିର୍ମାଣ ଦାୟିତ୍ବରେ ଥିବା ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ଠିକ ଭାବରେ କାମ କରିବା ଓ ପାଣି ଦେବାପାଇଁ ନିର୍ଦ୍ଦେଶ ଦେବା ସହ ଆଲୁବାଡି ଗ୍ରାମର ଗ୍ରାମବାସୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ସେମାନଙ୍କୁ ଆମ୍ବ ଚାଷ ଓ କାଜୁ ଚାଷ କରିବା ପାଇଁ ଗ୍ରାମବାସୀ ଇଛୁକ ଥିବାରୁ ରାମନାଗୁଡା ବିଡ଼ିଓ ବେଣୁଧର ଶବରଙ୍କ ଆଲୋଚନା କରି ରାମନାଗୁଡାଙ୍କୁ ଉଦ୍ୟାନ ବିଭାଗ ସହ ଯୋଗଯୋଗ କରି ଚାରା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେଠାରୁ ଜିଲ୍ଲାପାଳ କାଣିପୁଲଶୀ ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କୁ ବିଭିନ୍ନ ଯୋଜନା ବିଷୟରେ ବିଶେଷ କରି ସାମାଜିକ ସୁରକ୍ଷା ଯୋଜନ ଅନ୍ତର୍ଗତ ବିଭିନ୍ନ ସହାୟତା, ମନରେଗା ଯୋଜନରେ ମଜୁରୀ ଠିକ ଭାବରେ ପାଉଛନ୍ତି କି ନାହିଁ, ଚାଉଳ ଠିକରେ ପାଉଛନ୍ତି କି ନାହିଁ ସେ ସମ୍ବନ୍ଧରେ ପଚାରି ବୁଝିଥିଲେ। ସେହି ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ କେନାଲ କାମ ଓ ମଧ୍ୟମ ଜଳସେଚନ ବିଭଗ ଦ୍ବାରା ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ।

ଗ୍ରାମରେ ଚେକଡ୍ୟାମ ଉନ୍ନତି କରଣ ପାଇଁ ପଦକ୍ଷେପ ନେବା ନିମନ୍ତେ ବିଡ଼ିଓ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀ ମଧ୍ୟମ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ନଳକୂପ ଗୁଡ଼ିକରେ ରିଚାର୍ଜ ପିଟି ନିର୍ମାଣ କରିବାପାଇଁ ରାମନାଗୁଡା ବିଡ଼ିଓ ବେଣୁଧର ଶବରଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ମୋଟର ସାଇକେଲରେ ଦୁଇ ଜଣରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଯାତ୍ରା କରିବାକୁ ମନା କରିବା ସହ ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା ଉପରେ ସଚେତନ କରିଥିଲେ। ରାମନଗୁଡ଼ା ବ୍ଲକ ପରିଦର୍ଶନ ବେଳେ ଜିଲ୍ଳାପାଳଙ୍କ ସହିତ ବିଡ଼ିଓ ଶ୍ରୀ ବେଣୁଧର ଶବର, ପି.ଏ, କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ। ଏହାପରେ ଗୁଣପୁର ଆଦର୍ଶ ବିଦ୍ୟାଳୟଠାରେ ଚାଲିଥିବା କୋଭିଡ କେୟାର ସେଣ୍ଟର ବୁଲିଦେଖିଥିଲେ। ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଡା. ବି.ସିଧେଶ୍ଵର ବଳିରାମ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତଥିଲେ।