ମାଟି ଅତଡା ଧସି ଜଣେ ମୃତ,ଜଣେ ଗୁରୁତର

ରାୟଗଡା,ଏନ୍ଏନ୍ଏସ୍ : ରାୟଗଡା ସହରସ୍ଥିତ ଆମ୍ବାଗୁଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଟି ଅତଡା ଧସି ଯିବା ଯୋଗୁଁ ଜଣେ ମହିଳା ମାଟି ଅତଡାରେ ଫସି ମୃତ୍ୟୁବରଣ କରିଥିବା ସୂଚନା ରହିଛି। ସୂଚନା ମୁତାବକ ଆମ୍ବାଗୁଡା ନିକଟରେ ବହିଯାଉଥିବା ଝଞ୍ଜାବତୀ ନଇ କୁଳରେ ମାଟି ଖୋଳୁ ଥିବା ବେଳେ ହଠାତ୍ ମାଟି ଅତଡା ଧସି ୨ ଜଣ ମହିଳା ଡମୁଣି କାଶୀ, ଲଳିତା କାଶୀ ଗୁରୁତର ହୋଇଥିଲେ। ଗ୍ରାମବାସୀ ତୁରନ୍ତ ଗୁରୁତର ମହିଳାମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଡ଼ାକ୍ତର ଡମୁଣି କାଶିଙ୍କୁ ମୃତ ଘୋଷଣା କରିଥିବା ବେଳେ ଲଳିତା କାଶୀ ସ୍ଥିତି ସଙ୍କଟାପନ୍ନ ଥିବା ଜଣାପଡିଛି। ଉଭୟ ମହିଳା କୁମ୍ଭାର ସଂପ୍ରଦାୟ ହୋଇଥିବା ବେଳେ ମାଟିର ପାତ୍ର ନିର୍ମାଣ କରିବା ନିମନ୍ତେ ମାଟି ଆଣିବା ପାଇଁ ଯାଇଥିଲେ ବୋଲି ଡମୁଣିଙ୍କ ସ୍ୱାମୀ ପ୍ରକାଶ କରିଛନ୍ତି। ତେବେ ଯେଉଁ ସ୍ଥାନକୁ ମହିଳାମାନେ ମାଟି ଆଣିବା ପାଇଁ ଯାଇଥିଲେ ସେଠାରୁ ବହୁ ବର୍ଷ ପର୍ବେ ଫେରମାଙ୍ଗାନିଜ କଂପାନୀର ସ୍ଲଗ ପଡ଼ୁଥିଲା । ବର୍ତମାନ ସୁଦ୍ଧା ସେଠାରୁ କିଛି ପରିମାଣରେ ଲୁହା ଅଂଶ ମିଳୁଥିବାରୁ ଗରୀବ ଶ୍ରେଣୀର ଲୋକେ ନିଜ ଜୀବନକୁ ବାଜି ଲଗାଇ ସେଠାରୁ ଅଦରକାରୀ ଲୁହାପଥର ବାହାର ଚରି ବିକ୍ରି କରୁଛନ୍ତି। ପ୍ରତିଦିନ ଆଖ ପାଖ ଅଂଚଳର ଗରୀବ ଲୋକେ ଉକ୍ତ ଅଂଚଳକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ବେଆଇନ ଭାବେ ଲୁହାପଥର ଖନନ କରୁଥିବାରୁ ଏଭଳି ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ତେବେ ଉକ୍ତ ଅଂଚଳକୁ ନିଷିଦ୍ଧାଚଂଳ ଘୋଷଣା କରିବା ପାଇଁ ସାଧାରଣରେ ଦାବୀ ହୋଉଛି।