ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ଘୋଷଣା ପୂର୍ବରୁ ଦେବଗଡ଼ ଜିଲ୍ଲାର ୨୨ ଆକ୍ରାନ୍ତଙ୍କ ନାମ ଘୋଷଣା କରାଯିବା ପୂର୍ବରୁ ସୂଚନା ପତ୍ର ଫେସବୁକରେ ଗତକାଲି ଭାଇରାଲ ହୋଇଥିଲା। ଏହି ଘଟଣାକୁ ଆଧାର କରି ଆଜି ଦେବଗଡ଼ ଥାନା ପୁଲିସ ୨ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଖୋଳତାଡ ଆରମ୍ଭ କରିଛି। ମିଳିଥିବା
ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ରିଆମାଳ ବ୍ଲକ୍ ଅଞ୍ଚଳର ଜନୈକ ଶମ୍ଭୁଲାଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ନିଜ ଫେସବୁକ ଆକାଉଣ୍ଟରେ ଦେବଗଡ ଜିଲ୍ଲାରେ ୨୨ କରୋନା ପଜିଟିଭ ବାହରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ପତ୍ରକୁ ସାର୍ବଜନୀନ କରିଥିଲେ। ତେବେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନାମ ଠିକଣାକୁ ଗୁପ୍ତ ରଖିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଥିବା ଯୋଗୁଁ ଗଣମାଧ୍ୟମରେ ମଧ୍ୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଉନାହିଁ।
