ବନ୍ଦ ଗୋଦାମ ଘରୁ ବେଆଇନ ଗଛ ପଟା ଜବତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ରେଞ୍ଜ ବନ ବିଭାଗ ଗୁମାଡ଼େରା ଜାହାଜପଡ଼ାରେ ବନ୍ଦ ଥିବା ଏକ ଗୋଦାମ ଘରେ ଚଢ଼ଉ କରି ବେଆଇନ ଭାବେ ରଖାଯାଇଥିବା ୪୦ ସିଏଫଟି ଗଛ ପଟା ଓ ଏକ ପିକଅପ୍ ଗାଡ଼ିକୁ ଜବତ କରିଛି। ଜବତ ହୋଇଥିବା ଗଛର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ବେଲପାହାଡ଼ ରେଞ୍ଜର ସୁବାଷ ମହାପାତ୍ର କହିଛନ୍ତି। ପ୍ରକାଶ ଯେ, ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ କାଠ ମାଫିଆମାନେ କାଠ ଚୋରୀ କରି ବିକ୍ରି କରିବା ସହ ବିଭିନ୍ନ କାର୍ଯ୍ୟରେ ଲଗାଉଛନ୍ତି। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୋମାଡ଼େରା ଜାହାଜ ପଡିଆସ୍ଥିତ ଏକ ଗୋଦାମ ଘରେ ଚୋରା ଗଛ ଲୁଚାଯାଇଥିବାକୁ ନେଇ ବନ ବିଭାଗକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ସୂଚନା ମିଳିବା ପରେ ବନ ବିଭାଗ କର୍ମଚାରୀମାନେ ଆତର୍କିତ ଚଢ଼ଉ କରି ଗଛ ପଟା ଓ ପିକଅପ ଜବତ କରିଥିଲେ। ତେବେ ଗୋଦାମଟି କାହାର ଓ ଏହି ଗଛ ଚୋରୀରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ବିନ ବିଭାଗ ତଦନ୍ତ ଜାରି ରଖିଛି। ଏହି ଚଢ଼ଉରେ ବେଲପାହାଡ଼ ରେଞ୍ଜର ସୁବାସ ମହାପାତ୍ର, ଫରେଷ୍ଟର ଲଳିତ ଅଢ଼ା, କେସି ଜାଲ, ଫରେଷ୍ଟ ଗାର୍ଡ ଏନସି କରାଲୀ, ସରୋଜ ନାୟକ, ମୋବାଇଲ ସ୍କାର୍ଡ଼ର ପ୍ରକାଶ ରଣା, ବିଜୟ ମହାନନ୍ଦ, ଅକ୍ଷୟ ଖଡ଼ିଆ ପ୍ରମୁଖ ସାମିଲ ରହିଥିଲେ।