କରୋନା ମୁକ୍ତ ଅଞ୍ଚଳରୁ ପୁଣି ୨୦ ପଜିଟିଭ୍ ଚିହ୍ନଟ, ସଂଖ୍ୟା ପହଂଚିଲା ୮୯୬କୁ

ଭୁବନେଶ୍ୱର : କରୋନା ମୁକ୍ତ ଅଞ୍ଚଳରୁ ଆଉ ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଗତସିଂପୁର ଜିଲ୍ଲା ନାଉଗାଁ’ ବ୍ଲକ ଜାମୁଗାଁ’ କ୍ୱାରେଣ୍ଟାଇନ ସେଣ୍ଟରୁ ୧୯ଜଣ । ଅନ୍ୟ ଜଣେ କୁଜଙ୍ଗ ବ୍ଲକ୍ ପଣ୍ଡୁଆ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ଜିଲ୍ଲାରୁ ପୂର୍ବରୁ ଚିହ୍ନଟ ହୋଇଥିବା ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ଓ ଜିଲ୍ଲା କରୋନା ମୁକ୍ତ ହେଲା ବୋଲି କୁହାଯାଇଥିଲା। ହେଲେ ସନ୍ଧ୍ୟାରେ ଏକାବେଳେ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୨୦ଜଣ ଚିକିତ୍ସିତ ହେଉଛନ୍ତି।

ଆଜି ସକାଳେ ରାଜ୍ୟରେ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସନ୍ଧ୍ୟା ୫.୩୦ମିନିଟ୍ ସୁଦ୍ଧା ରାଜ୍ୟରେ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ଅନ୍ୟ ପଟେ ସୁସ୍ଥ ମଧ୍ୟ ହେଉଛନ୍ତି।

ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୨୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ୬୧୫ଜଣ ରାଜ୍ୟରୂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।