ଦେବଗଡ଼,ଏନ୍ଏନ୍ଏସ୍: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ଓଡ଼ିଶାକୁ ପ୍ରବେଶ କରିବା ପରେ ସରକାର ଏବଂ ଜନସାଧାରଣଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ତେବେ ଏ ନେଇ ରାଜ୍ୟ ସରକାର ତଥା କେନ୍ଦ୍ର୍ର ସରକାର ଏହାକୁ ବିର୍ଯ୍ୟୟ ଘୋଷଣା କରିବା ସହ ସାରା ରାଜ୍ୟକୁ ଲକଡାଉଡ ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିର ଅବମାନନା କରି କେତେକ ଲୋକେ ସଚେତନ ନ ହେବା ସହ ବିନା କାରଣରେ ପଦାରେ ବୁଲୁଛନ୍ତି। ଏ ନେଇ ଜିଲ୍ଲା ପୁଲିସ ଆକ୍ସନ ମୋଡ଼ରେ ଆସିବା ସହ ୪ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ କରୋନା ଭୂତାଣୁ ଏକ ସଂକ୍ରାମକ ରୋଗ ହୋଇଥିବାରୁ ଏ ନେଇ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବନାଇ ରଖିବା ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏଥିରେ ସାଧାରଣ ଜନତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ରାସନ ଦୋକାନ, ଔଷଧ ଦୋକାନ, ପନିପରିବା, ମାଛ, ଅଣ୍ଡା, ଫଳ ଓ କ୍ଷୀର ଦୋକାନ ଗୁଡିକ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ମାତ୍ର କେତେକ ଜନସାଧାରଣ ଏହାକୁ ମାନୁ ନ ଥିବା ଗତକାଲି ଦେଖିବାକୁ ମିଳିଥିଲା। ଫଳରେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘରୁ ନ ବାହାରିବା ସହ ପ୍ରଶାସନର ନିର୍ଦ୍ଦେଶକୁ ପାଳନ ପାଇଁ ଅନୁରୋଧ କରାଯାଇଥିଲା।
