ପାରାଦୀପ ବନ୍ଦରରେ କରୋନା ସଂଦିଗ୍ଧ !

ପାରାଦୀପ : ବିଶ୍ୱବ୍ୟାପୀ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି। ଗତକାଲି ଭାରତରେ ୩ ଜଣଙ୍କୁ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା । ଏଥି ମଧ୍ୟରୁ ଜଣେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ହୋଇଥିବାରୁ ଓଡ଼ିଶାରେ କରୋନା ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଆଜି ପାରାଦୀପ ବନ୍ଦରରୁ କରୋନା ସଂଦିଗ୍ଧ ଦମ୍ପତ୍ତିଙ୍କୁ ଚିହ୍ନଟ କରାଯାଇଛି । ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା‌ ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ୱର ଥିବା ଦେଖାଯାଇଥିଲା ।

ବିଶେଷ କରି ଇଂଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ‌ଦେଖା ଯାଇଥିଲା । ଶରୀରରେ ତାପମାତ୍ରା ରହିବା କରୋନାର ଏକ ଲକ୍ଷଣ ହୋଇଥିବାରୁ ସିଙ୍ଗାପୁରର ଏହି ଦମ୍ପତ୍ତିଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଳାଗି ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାରେ କରୋନା ସଂକ୍ରମଣ ଭୟ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ମନ୍ତ୍ରୀଙ୍କ କହିବା ଅନୁସାରେ ଓ ରାଜ୍ୟ ସରକାର କରୋନା ନେଇ ସଚେତନ ଅଛନ୍ତି ଓ ଏହାର ମୁକାବିଲା ଲାଗି ସବୁ ଡାକ୍ତରଖାନା ପ୍ରସ୍ତୁତ ରହିଛନ୍ତି ।