ନୂଆଦିଲ୍ଲୀ : କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନ ମଧ୍ୟ ଦିଲ୍ଲୀ ହିଂସା ପ୍ରସଙ୍ଗରେ ବିରୋଧୀ ଦଳର ସଦସ୍ୟଙ୍କ ଦ୍ୱାରା ହୋ ହଲ୍ଲା ଯୋଗୁ ସଂସଦର ଉଭୟ ଗୃହରେ କୌଣସି କାର୍ୟ୍ୟ ସମ୍ଭବପର ହୋଇପାରିନାହିଁ। ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି। ଦିଲ୍ଲୀ ହିଂସା ଉପରେ ଲୋକସଭାରେ ଆଲୋଚନା ଦାବି କରି ବିରୋଧ ପ୍ରଦର୍ଶନ ପରେ ବାଚସ୍ପତି ମଧ୍ୟାହ୍ନ ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ଓ ପୁନର୍ବାର ଗୃହ କାର୍ୟ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ପୁନର୍ବାର ସରକାର ବିରୋଧୀ ସ୍ଲୋଗାନ ସହ ହୋ ହଲ୍ଲା କରିଥିଲେ ଯାହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମକେ, ଟିଏମସି, ବାମପନ୍ଥୀ, ବିଏସପି ଏବଂ ଏସପି ସମେତ ବିରୋଧୀ ସଦସ୍ୟମାନେ ଦିଲ୍ଲୀ ହିଂସା ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଚସ୍ପତି ଓମ ବିର୍ଲା କହିଥିଲେ ଯେ ଗୃହ ଚଳାଇବାକୁ ଅନୁମତି ଦିଆଯିବା ଉଚିତ ଏବଂ ଏହି ପ୍ରସଙ୍ଗ ପ୍ରଶ୍ନ କାଳ ପରେ ବିଚାରକୁ ନିଆଯିବ। ତେବେ ବିରୋଧୀ ସଦସ୍ୟମାନେ ସେମାନଙ୍କ ଦାବିରୁ ଓହରିନଥିଲେ ଏବଂ ସରକାର ମଧ୍ୟ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି।