ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ୪ ବର୍ଷ ତଳେ ରାଜପୁର ଗ୍ରାମର ପୂଜା ପ୍ରଧାନ(୨୨)ଙ୍କ ମଙ୍ଗଳବଜାର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆପେଣ୍ଡିକ୍ସ ଅସ୍ତ୍ରୋପ୍ରଚାର ହୋଇଥିଲା। କିନ୍ତୁ ଡାକ୍ତରମାନଙ୍କ ଖାମଖିଆଲି ନୀତି ଯୋଗୁଁ ଅସ୍ତ୍ରୋରୋପ୍ରଚାର ପରେ ପୂଜାଙ୍କ ଶରୀରରେ କରାଯାଇଥିବା ଷ୍ଟିଜ ଯୋଡି ହୋଇନଥିଲା। ଫଳରେ ସେ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ତାଙ୍କ ଶରୀରର କ୍ଷତ ସ୍ଥାନକୁ ୪-୫ ଥର ଷ୍ଟିଚିଂ କରାଇଥିଲେ ହେଁ କ୍ଷତ ସ୍ଥାନଟି ଯୋଡି ହୋଇ ନଥିଲା। ଏ ନେଇ ସେ ଅନେକ ଯନ୍ତ୍ରଣା ଅନୁଭବ କରୁଛନ୍ତି।
ଭଲ ଭାବରେ ନିଜର ଚିକିତ୍ସା କରାଇବା ପାଇଁ ସେ ଗତ ଶୁକ୍ରବାର ପୁଣି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲୋ କିନ୍ତୁ ଡାକ୍ତର କ୍ଷତ ସ୍ଥାନକୁ ଯୋଡିବାକୁ ପ୍ରୟାସ କରିବା ପରିବର୍ତ୍ତେ ଶରୀର ଭିତରର ମାଂସ ପିଣ୍ଡୁଳା ଯୋଡି ସାରିଛି ଏବଂ ଏହାକୁ ଷ୍ଟିଜ କରାଯାଇ ପାରିବ ନାହିଁ ବୋଲି କହିଥିବା ପୂଜାଙ୍କ ମା ଯଶୋଦା ପ୍ରଧାନ ଅଭିଯୋଗ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ପୂଜାଙ୍କୁ ଚିକିତ୍ସା କରିଥିବା ଡାକ୍ତର କ୍ଷତ ସ୍ଥାନକୁ ଯୋଡିବା ପରିବର୍ତ୍ତେ ରୋଗୀକୁ ଘରକୁ ନେବା ପାଇଁ କହିଥିଲେ। ତବେ ପୂଜାଙ୍କୁ ସମୂର୍ଣ୍ଣ ଠିକ ନ କରିବା ଯାଏଁ ସେ ଚିକ୍ତାସଳୟରେ ରହିବେ ବୋଲି ତାଙ୍କ ମାଆ କହିଛନ୍ତି। ଅନ୍ୟପଟେ ପୂଜାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତରଙ୍କ ସହ ଯୋଗାଯୋଗ ହୋଇ ପାରି ନଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଉକ୍ତ ରୋଗୀଙ୍କୁ ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରି ଆବଶ୍ୟକୀୟ ଚିକିତ୍ସା କରାଯିବ।