୮୫ ଲକ୍ଷ ଟଙ୍କାର ଗଂଜେଇ ଜବତ : ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲା ପୁଲିସ୍ ଗଂଜେଇ ମାଫିଆଙ୍କ ନିଦ ହଜେଇ ଦେଇଥିବାବେଳେ ସୋମବାର ସେମିଲିଗୁଡା ପୁଲିସକୁ ମିଳିଛି ପୁଣି ଏକ ବଡ ସଫଳତା। ସେମିଲିଗୁଡା ପୁଲିସର ଏକ ଟିମ୍ ନନ୍ଦପୁର ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ବଡେଙ୍ଗା ଛକରେ ଏକ ଟ୍ରକକୁ ଯାଂଚ କରି ୮୪୭ କିଲୋଗ୍ରାମ ଗଂଜେଇ ଜବତ କରିବା ସହ ଟ୍ରକ୍ ଡ୍ରାଇଭର ଓ ଅନ୍ୟ ଜଣକୁ ଗିରଫ କରିଛି ବୋଲି ସୁନାବେଡା ଏଡିପିଓ ନିରଂଜନ ବେହେରା ଏକ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି।

ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୮୫ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସେମିଲିଗୁଡା ଥାନାର ଏଏସଆଇ ଏସ୍.ସିଏଚ୍.ବିଷୋୟୀ,କନେଷ୍ଟବୁଲ୍ ଏମ୍.କେ.ବାଘ,ଏନ୍.ମୁଦୁଲି,ଘେନୁ ଦୁର୍ଲିଆ,ଯୁଗଳ କୁଲେଶିକା,ଭଗବାନ୍ ମୁଦୁଲି ପ୍ରମୁଖ ସୋମବାର ପୂର୍ବାନ୍ନରେ ସେମିଲିଗୁଡା-ନନ୍ଦପୁର ରାସ୍ତାର ଯାନିଗୁଡା,ଚାରାଗାଁ,ଖରାଗୁଡାକୁ ପାଟ୍ରୋଲିଂ ପାଇଁ ବାହାରିଥିଲେ। ପିତାଗୁଡା ନିକଟରେ ନନ୍ଦପୁର ଆଡୁ ସେମିଲିଗୁଡା ଅଭିମୁକ୍ଷେ ବିଆର୍-୩୧ ଜିବି ୧୬୭୨ ନମ୍ବର ଥିବା ଏକ ୧୪ ଚକିଆ ଟ୍ରକ ଅତି ଦୃତ ଗତିରେ ଯାଉଥିବା ଦେଖି ପାଟ୍ରୋଲିଂ୍ ଟିମ୍ ସନ୍ଦେହରେ ଟ୍ରକ୍ କୁ ପିଛା କରିଥିଲେ । ପୁଲିସ୍ ଉକ୍ତ ଟ୍ରକକୁ ବଡେଙ୍ଗା ଛକରେ ଧରି ତନାଘନା କଲାବେଳକୁ ସେଥିରେ ଖାଲି ଅଣ୍ଡା ଟ୍ରେ ମିଳିଥିଲା। ହେଲେ ଅଭିଯୁକ୍ତମାନେ ଅତି ଚତୁରତାର ସହ ଡାଲାର ମଝି ଭାଗରେ ଅଣ୍ଡା ଟ୍ରେ ସାଇଜର କିଛି ପ୍ୟାକେଟ୍ ସଜେଇ ରଖିଥିଲେ ।

ପ୍ୟାକେଟ୍ ସବୁ ଯାଂଚ୍ କରିବା ପରେ ତାହା ଗଂଜେଇ ବୋଲି ଜଣା ପଡିଥିଲା। ପୁଲିସ୍ ଗଂଜେଇ ସହ ଚୋରା ଚାଲାଣରେ ବ୍ୟବହୃତ ଟ୍ରକ ଓ ଏକ ମୋବାଇଲ୍ ଫୋନ୍ ଜବତ କରିବା ସହ ଟ୍ରକ୍ ଚାଳକ ଓ ଅନ୍ୟ ଜଣକୁ ଗିରଫ କରିଥିଲା। ଗିରଫ ଦୁଇଜଣ ବିହାର ବୈଶାଳୀ ଜିଲା ହାଜିପୁର ଥାନା ଚିକନାଉଚା ଗ୍ରାମର ସଂଜୟ କୁମାର(୨୯) ଓ ଛଟିପୁରର କୁନ୍ଦନ୍ କୁମାର(୧୯) ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସାମ୍ବାଦିକ ସମିଳନୀରେ ଆଇପିଏସ୍ ପ୍ରବେସନାରୀ ଅଂଶୁମାନ୍ ଦ୍ୱିବେଦୀ,ସେମିଲିଗୁଡା ଥାନା ଅଧିକାରୀ ଧୀରେନ୍ କୁମାର ବେହେରା ଉପସ୍ଥିତ ଥିଲେ।