ସଡ଼କ ଦୁର୍ଘଟଣାରେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ରାସ୍ତାରୋକ

ତାଳଚେର,ଏନ୍ଏନ୍ଏସ୍ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ କୁକୁଡୁଲା ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ସଂଧ୍ୟାରାଣୀ ଦାସ (୪୫) ସଡ଼କ ଦୁର୍ଘଟଣାରେ ଆଜି ମୃତ୍ୟୁ ହୋଇଛି। ରାଣୀପାର୍କ ନିକଟସ୍ଥ ବସଷ୍ଟାଣ୍ଡକୁ ଅନୁଗୋଳ ଯିବା ପାଇଁ ଅନ୍ୟ ଜଣେ କ୍ରୀଡ଼ା ଶିକ୍ଷକ ଉମେଶ ପଣ୍ଡାଙ୍କ ସହ ସ୍କୁଟିରେ ଆସୁଥିଲା ବେଳେ ଏକ ଟ୍ରକ୍ ତାଙ୍କୁ ଧକା ଦେବାରୁ ଶିକ୍ଷୟତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ କ୍ରୀଡ଼ା ଶିକ୍ଷକ ଗୁରୁତର ହୋଇ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ତାଳଚେର ଡ଼େରା କୋଲିୟରୀ ହାଇସ୍କୁଲ ଠାରେ ଏକ ବ୍ଳକସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦାନ କରି ଅପରାହ୍ନରେ ଶିକ୍ଷୟତ୍ରୀ ଜଣଙ୍କ ନିଜ ଘର ଅନୁଗୋଳ ଗୀତାଗ୍ରାମକୁ ଯିବା ଉଦ୍ଦେଶ୍ୟରେ ବସଷ୍ଟାଣ୍ଡକୁ କ୍ରୀଡ଼ା ଶିକ୍ଷକଙ୍କ ସହ ଆସୁଥିଲେ। ବସଷ୍ଟାଣ୍ଡକୁ ଯିବାକୁ ଆଉ ମାତ୍ର କିଛି ଦୂର ଥିଲା ବେଳେ ହଠାତ୍ ଏକ ଟ୍ରକ୍ ବିପରୀତ ଦିଗରୁ ଆସି ତାଙ୍କୁ ଧକା ଦେଇ ପଳାଇ ଯାଇଥିଲା। ରାସ୍ତାରେ ଛିଟିକି ପଡିବା ସହ ଶିକ୍ଷୟତ୍ରୀଙ୍କ ମୁଣ୍ଡରେ ଟ୍ରକ୍ ଚକା ଚଢ଼ିଯିବାରୁ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା।

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତି ଯାଇଥିବା କ୍ରୀଡ଼ା ଶିକ୍ଷକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାକୁ ପଠାଇଥିଲେ। ତାଳଚେର – ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥକୁ ଉତ୍ୟକ୍ତ ଜନସାଧାରଣ ଦୀର୍ଘ ସମୟ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳକୁ ବିଇଓ ସୁନୀଲ ମୁଣ୍ଡୁ, ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ଓ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।