ମାଙ୍ଗତୁ ଚଲାଣଙ୍କୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ଅଣ୍ଡ୍ରାହାଲ ପଂଚାୟତ ଅନ୍ତର୍ଗତ କଟାଙ୍ଗଗୁଡା ଗ୍ରାମର ମାଙ୍ଗତୁ ଚଲାଣ ପରିବାର ବୋଝ ସାଙ୍ଗକୁ ଲାଲନପାଳନରେ ସମସ୍ୟା ହେଉଥିବାରୁ ନିଜର ୧୬ଦିନର ଶିଶୁ କନ୍ୟାକୁ ସି.ଡବ୍ଲ୍ୟ.ସିକୁ ହସ୍ତାନ୍ତର କରିବା ଘଟଣ।। ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ତାଙ୍କ ପରିବାରକୁ ବିଭିନ୍ନ ସହଯୋଗର ହାତ ବଢ଼ାଇଛି। ଦାରିଦ୍ର୍ୟତା ଏବଂ ନିଜର ସ୍ତ୍ରୀ ମୃତ୍ୟୁବରଣ କରିଥିବାରୁ ତାହାର ଛଅଗୋଟି ପିଲାଙ୍କୁ ପୋଷିବା ପାଇଁ ଅକ୍ଷମ ହୋଇ ପଡିଥିଲେ। ଯାହା ଫଳରେ ମା’ଜନ୍ମ ଦେଇ ମୃତ୍ୟୁବରଣ କରିଥିବା ବେଳେ ୧୬ ଦିନର ଶିଶୁକୁ ବିକ୍ରି କରିବା ପାଇଁ ଇଛା ପ୍ରକାଶ କରି ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରିବାକୁ ମାଲକାନଗିରି ଯାଇଥିଲେ।

ଏହି ବିଷୟ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଜାଣିବା ପରେ ଶିଶୁ କନ୍ୟାଟିକୁ ଉଦ୍ଧାର କରି ପୋଷ୍ୟ ଗୃହକୁ ହସ୍ତାନ୍ତର କରିଥିଲେ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ସହକାରୀ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲାଶ୍ରମ ଅଧିକାରୀ ମଦନ ମୋହନ ପାଇକ, ସୁପରଭାଇଜର ନିରୁପମା ଭତ୍ରା ତାଙ୍କ ଗ୍ରାମ କଟଙ୍ଗଗୁଡାକୁ ଯାଇ ଘଟଣାର ତଦନ୍ତ କରି ମାଙ୍ଗତୁ ଚଲାଣଙ୍କୁ ରେସନ କାର୍ଡ, ଶ୍ରମ କାର୍ଡ ପ୍ରଦାନ କରିବା ସହ ତାଙ୍କୁ ଆବାସ ଯୋଜନାରେ ଏକ ଘର ମଞ୍ଜୁର କରିଛନ୍ତି। ଏଥିସହ ମାଙ୍ଗୁତ ଚଲାଣଙ୍କ ପିତା ମାତାଙ୍କ ନାମରେ ବାର୍ଦ୍ଧକ୍ୟ ଭତା ମଞ୍ଜୁର କରା ଯିବା ସହ ତାଙ୍କର ଦୁଇ ପୁତ୍ରଙ୍କୁ ପୂର୍ବରୁ ଆଶ୍ରମ ବିଦ୍ୟାଳୟରେ ନାମଲେଖା ଯାଇଥିବା ବେଳେ ଆଜି ଅନ୍ୟ ଏକ ପୁତ୍ରକୁ ମୁଦୁଲିପଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଭର୍ତି କରା ଯାଇଛି। ଏଥିସହ ଗୋଟିଏ ଝିଅକୁ ମୁଦୁଲିପଡା କନ୍ୟାଶ୍ରମରେ ଭର୍ତି କରା ଯିବା ସଙ୍ଗେ ସଙ୍ଗେ ଅନ୍ୟ ୨ ଜଣ ଛୋଟ ଛୋଟ କନ୍ୟାଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଅଧ୍ୟୟନ ପାଇଁ ଭର୍ତି କରାଯାଇଛି। ଏଥିସହ ଅତିଶୀଘ୍ର ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଥ ସହାୟତା ପ୍ରଦାନ କରା ଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି।