ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ପାଟଣାଗଡ ଓ ବେଳପଡ଼ା ଥାନା ଅନ୍ତର୍ଗତ ମାଳିଝର ଓ ପାଟଣାଗଡ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମରେ ୨ଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଖବରରୁ ପ୍ରକାଶ ଯେ ଫୁଡୁକୁପରା ଗ୍ରାମର ଜଗଦୀଶ ନାୟକ ପାଟଣାଗଡ଼ରୁ ମିସ୍ତ୍ରି କାମ ସାରି ଗାଁ’କୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଏକ ବୋଲେରୋ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପାଟଣାଗଡ ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ ଓ ବୋଲେରୋ ଗାଡିକୁ ଜବତ କରିବା ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଅପରପକ୍ଷରେ ବୋଲେରୋଗାଡି ଚାଳକ ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣାପଡ଼ିଛି।
ସେହିପରି ବେଳପଡ଼ା ଥାନା ଅନ୍ତର୍ଗତ ମାଳିଝର ଠାରେ ଏକ ଟ୍ରାକ୍ଟର ନିକଟସ୍ଥ ନଦୀରୁ ବେଆଇନ ଭାବେ ବାଲି ଚୋରି କରି ନେଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀରେ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ଚାଳକ କୀର୍ତ୍ତନ ବଂଛୋରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବେଳପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।