କାଶ୍ମୀର,ଏଜେନ୍ସି: ଜମ୍ମୁ- କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରଠାରୁ ବିଭିନ୍ନ କ୍ଷେତ୍ରରେ ରୋକ ଲଗାଯାଇଛି। ଫଳରେ ଲୋକଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ଏ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ପକ୍ଷରୁ ଶୁଣାଣି କରାଯାଇ ଇଣ୍ଟରନେଟ୍ ସେବାରେ ରୋକ ଲଗାଇବା ଏବଂ ୧୪୪ ଧାରାକୁ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିବା ସହ ଏକ କମିଟି ଗଠନ ହୋଇଛି। ଏହି କମିଟି ସରକାରଙ୍କ ଦ୍ୱାରା ଲଗାଯାଇଥିବା ରୋକର ସମୀକ୍ଷା କରିବ। ଏହାଛଡ଼ା ରାଜ୍ୟ ପ୍ରଶାସନ ୭ ଦିନ ଭିତରେ ସମସ୍ତ ନିଷ୍ପତ୍ତିକୁ ସାର୍ବଜନୀନ କରିବା ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ସାଧାରଣ ଲୋକେ ବ୍ୟାଙ୍କ ସହ ଜଡିତ ଥିବା ସବୁ ସେବାରୁ ସୁବିଧା ନେଇପାରିବେ ସେ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଜମ୍ମୁ- କାଶ୍ମୀର ରାଜ୍ୟ ପ୍ରଶାସନକୁ ତୁରନ୍ତ ଇ- ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ଲୋକଙ୍କ ବ୍ୟବସାୟ ଉପରେ କିପରି ଏହାର ପ୍ରଭାବ ନପଡ଼ିବ ସେ ନେଇ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଜାମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଆଜି ପର୍ୟ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି। ତେବେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ସ୍ବେଚ୍ଛାଚାରୀ ଭାବେ କ୍ଷମତା ପ୍ରୟୋଗ କରି ମୌଳିକ ଅଧିକାର ଉପରେ କଟକଣା ଲାଗୁ ହୋଇପାରିବ ନାହିଁ କହିଛନ୍ତି। ଜାମ୍ମୁ- କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିସନର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି। ଖଣ୍ଡପୀଠ ନିର୍ଦ୍ଦେଶ ଦେଇ କହିଛନ୍ତି, କେନ୍ଦ୍ର ସରକାର ଏକ ସପ୍ତାହ ମଧ୍ୟରେ ଇଣ୍ଟରନେଟ କଟକଣା ଏବଂ ୧୪୪ ଧାରା ଭଳି ସମସ୍ତ କଟକଣା ନିଷ୍ପତ୍ତିର ସମୀକ୍ଷା କରିବେ। ସମସ୍ତ କଟକଣା ନିଷ୍ପତ୍ତି ସାର୍ବଜନୀନ କରିବେ। ଲଗାତାର କଟକଣା ଲଗାଇବା କ୍ଷମତାର ଅପବ୍ୟବହାର ସଙ୍ଗେ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ସରକାରୀ ୱେବସାଇଟ୍, ଇ- ବ୍ୟାଙ୍କିଙ୍ଗ ସେବା ତୁରନ୍ତ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।