ବସ୍‌- ଟ୍ରକ ମୁହାଁମୁହିଁ ଧକ୍କା;୨୫ ଆହତ ୧୦ ଗୁରୁତର 

ଦେବଗଡ଼,ଏନ୍ଏନ୍ଏସ୍ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ଗ୍ରାମ ଦେଇ ଯାଇଥିବା ୨୩ନଂ ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଯାଇଛି। ଆଜି ସକାଳ ସାଢ଼େ ଆଠଟା ସମୟରେ ଏକ ଯାତ୍ରୀବାହୀ ବସ ଓ ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ଜଣ ଗୁରୁତର ମଧ୍ୟ ଅଛନ୍ତି।

ସୂଚନା ଅନୁଯାୟୀ ଆଜି ସକାଳେ ସାରଳା ନାମକ ଘରୋଇ ଯାତ୍ରୀବାହୀ ବସ ରାଉରକେଲାରୁ ଅନୁଗୁଳ ଅଭିମୁଖେ ଯାତ୍ରା କରିଥିଲା। ଏହି  ସମୟରେ ବସଟି ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲବୋଝେଇଟ୍ରକ୍‌ ସହ ମୁହାଁମୁହିିଁ ଧକ୍କା ହୋଇଥିଲା। ଫଳରେ ବସରେ ଥିବା ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ପରେ ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ବାରକୋଟ ଥାନାକୁ ଖବର ଦେବା ସହ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରୁ ଗୁରୁତରମାନଙ୍କୁ ବଣେଇ ଓ ଦେବଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଦୁର୍ଘଟଣାରେ ଟ୍ରକ୍‌ ଚାଳକର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଦୁର୍ଘଟଣା ସ୍ଥଳରେବାରକୋଟ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିଥିବା ଜଣାପଡ଼ିଛି।