ଡାକ୍ତରଙ୍କ ଅବହେଳା କାରଣରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ବିବାହିତ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ ଯାଜପୁରର ଜଣେ ବିବାହିତା ମହିଳା ତାଙ୍କର କୌଣସି ସନ୍ତାନ ହେଉନଥିବାରୁ ସେ ଭଦ୍ରକ ସହରର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ କାଳନ୍ଦୀ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଉକ୍ତ ମହିଳା ଜଣଙ୍କ ନିଜର ଅସ୍ତ୍ରୋପଚାର କରାଇଥିଲେ।

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ଅସ୍ତ୍ରୋପଚାର ଚାଲୁଥିବା ସମୟରେ ସେ ମୃତ୍ୟୁବରଣ କରିଥିଲେ। ଏହି ମୃତ୍ୟୁ ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟମାନେ ନର୍ସିଂହୋମରେ ଗଣ୍ଡଗୋଳ କରୁଛନ୍ତି। ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣି ଭଦ୍ରକ ଟାଉନ୍ ଥାନାରେ ଏତଲା ଦେଇଛନ୍୍ତି। ଟାଉନ୍ ଥାନାରେ ସମ୍ପର୍କୀୟଙ୍କ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।