ତୀର ଚାଳନାରେ ଜ୍ୟୋତି-ଅଭିଷେକଙ୍କୁ ସ୍ୱର୍ଣ୍ଣ ପଦକ

ବ୍ୟାଙ୍କକ୍,ଏଜେନ୍ସି: ଭାରତର ମିକ୍ସଡ ଡବଲ୍ସ ଯୋଡି ଜ୍ୟୋତି ସୁରେଖା ଭେନ୍ନମ ଓ ଅଭିଷେକ ବର୍ମା ଏଠାରେ ଅନୁଷ୍ଠିତ ୨୧ତମ ଏସିଆନ ଆର୍ଚରୀ ଚାମ୍ପିଅନଶିପରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ବୁଧବାର ଶେଷ ହୋଇଥିବା ଏହି ଚାମ୍ପିଅନ୍ଶିପରେ ଭାରତ ଏହି ଏକମାତ୍ର ସ୍ୱର୍ଣ୍ଣ ସହ ୭ଟି ପଦକ ଜିତିଛି। ଭାରତ ଗୋଟିଏ ସ୍ୱର୍ଣ୍ଣ, ୨ଟି ସିଲଭର ଓ ୪ଟି ବ୍ରୋଞ୍ଜ ପଦକ ବିଜୟୀ ହୋଇଛି।

ବୁଧବାର ଶେଷ ଦିନରେ ମିକ୍ସଡ ପେୟାର ଇଭେଣ୍ଟ ଫାଇନାଲ ଖେଳାଯାଇଥିଲା। ଏଥିରେ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ ଭେନ୍ନମ-ବର୍ମାଙ୍କ ଯୋଡି ୧୫୮-୧୫୧ ପଏଣ୍ଟରେ ଚାଇନିଜ୍ ତାଇପେ ପ୍ରତିଦ୍ୱନ୍ଦ୍ୱୀ ୟି-ହୁସୁଆନ୍ ଚେନ୍ ଓ ଚେଇଲୁ ଚେନଙ୍କ ଯୋଡିକୁ ହରାଇ ସ୍ୱର୍ଣ୍ଣପଦକ କବଜା କରିଥିଲେ।

ପୂର୍ବରୁ ସକାଳେ ଅନୁଷ୍ଠିତ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଭାରତ ମାତ୍ର ଗୋଟିଏ ପଏଣ୍ଟ ବ୍ୟବଧାନରେ ପରାଜିତ ହୋଇ ସିଲଭର ମେଡାଲରେ ସନ୍ତୁଷ୍ଟ ହୋଇଥିଲେ। ଫାଇନାଲରେ ସାଉଥ୍ କୋରିଆ ଟିମ୍ ୨୩୩-୨୩୨ ପଏଣ୍ଟରେ ଭାରତକୁ ହରାଇ ସ୍ୱର୍ଣ୍ଣପଦକ ଜିତିନେଇଥିଲା। ମାତ୍ର ଗୋଟିଏ ପଏଣ୍ଟ ଲାଗି ସ୍ୱର୍ଣ୍ଣ ହରାଇ ନିରାଶ ହୋଇଥିବା ବର୍ମା ଶେଷରେ ଭେନ୍ନମଙ୍କ ସହ ମିଶି ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଅଭିଷେକ ବର୍ମା, ରଜତ ଚୌହାନ ଓ ମୋହନ ଭରଦ୍ୱାଜଙ୍କୁ ନେଇ ଗଠିତ ପୁରୁଷ କମ୍ପାଉଣ୍ଡ ଟିମ୍ ସିଲଭର ମେଡାଲ ଜିତିଥିଲା।

ସେହିପରି ଜ୍ୟୋତି ସୁରେଖା ଭେନ୍ନମ, ମୁସକାନ କିରାକ ଓ ପ୍ରିୟା ଗୁରଜାରଙ୍କୁ ନେଇ ଗଠିତ ମହିଳା କମ୍ପାଉଣ୍ଡ ଟିମ୍ ମଧ୍ୟ ଫାଇନାଲରେ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇ ଆଉ ଏକ ସିଲଭର ମେଡାଲ ହାତେଇଥିଲେ। ଭାରତୀୟ ବକ୍ସିଂ ସଂଘକୁ ବିଶ୍ୱ ବକ୍ସିଂ ଫେଡେରେସନ ସସ୍ପେଣ୍ଡ କରିଥିଲାବେଳେ ଏକ ନ୍ୟୁଟ୍ରାଲ ଫ୍ଲାଗ୍ ତଳେ ଭାରତ ଅଂଶଗ୍ରହଣ କରିଥିଲା। ପୂର୍ବରୁ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିସାରିଛି। ଟୋକିଓ ଅଲିମ୍ପିକ୍ସ ଲାଗି ଆଉ ୬ଟି ସ୍ଥାନ ବାକିଥିଲେ ମଧ୍ୟ ମହିଳା ଦଳ ଏଥିଲାଗି ଯୋଗ୍ୟତା ଅର୍ଜନ ପରିପାରି ନାହିଁ।