କିଆ ମୋଟର୍ସ ଭାରତର ପଞ୍ଚମ ସର୍ବବୃହତ୍ କାର୍ ବ୍ରାଣ୍ଡ୍

ନୂଆଦିଲ୍ଲୀ: ଭାରତୀୟ ଯାନ ବଜାରରେ କାର୍ ନିର୍ମାଣକାରୀ କମ୍ପାନୀ କିଆ ମୋଟର୍ସ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। କମ୍ପାନୀର ବେଶ୍ ଲୋକପ୍ରିୟ ଗାଡ଼ି ସେଲଟସ୍ ହୋଣ୍ଡା ଏବଂ ଟୟୋଟାକୁ ପଛରେ ପକାଇ କିଆ ମୋଟର୍ସକୁ ଦେଶର ପଞ୍ଚମ ସର୍ବବୃହତ୍ କାର୍ ନିର୍ମାଣକାରୀ କମ୍ପାନୀ ରୂପେ ପରିଚୟ ପ୍ରଦାନ କରିଛି। ଚଳିତବର୍ଷ ଅକ୍ଟୋବରରେ କମ୍ପାନୀ ତରଫରୁ ମୋଟ ୧୨,୮୫୦ ୟୁନିଟ୍ ସେଲଟସ୍ ବିକ୍ରି ହୋଇଥିବାବେଳେ ଭାରତରେ ଶୁଭାରମ୍ଭ ହେବା ପରଠାରୁ କମ୍ପାନୀର ଏହା ସର୍ବାଧିକ ବିକ୍ରି ବୋଲି ଉଲ୍ଲେଖ କରାଯାଇଛି।

ହୁଣ୍ଡାଇ କ୍ରେତାକୁ ପଛରେ ପକାଇ କିଆ ସେଲଟସ୍ ଦେଶର ସବୁଠୁ ଅଧିକ ବିକ୍ରି ହେଉଥିବା କମ୍ପାକ୍ଟ ଏସୟୁଭି ରୂପେ ପରିଚିତି ହାସଲ କରିଛି। ମାସିକ ଆଧାରରେ କମ୍ପାନୀ ୬୫.୭୨% ବୃଦ୍ଧି ଉଲ୍ଲେଖ କରିଛି। ୨୦୧୯ ଅଗଷ୍ଟରେ ଏହାକୁ ଭାରତରେ ଶୁଭାରମ୍ଭ କରାଯାଇଥିଲା ଏବଂ ଏନେଇ କେବଳ ଅଢ଼େଇ ମାସ ମଧ୍ୟରେ ୫୦ ହଜାରରୁ ଊଦ୍ଧ୍ୱର୍ ବୁକିଂ ମିଳିଥିବା କମ୍ପାନୀ ଉଲ୍ଲେଖ କରିଛି। ବୁକିଂ ଆରମ୍ଭ ହେବାର ପ୍ରଥମ ଦିନରେ କମ୍ପାନୀକୁ ୬ ହଜାରରୁ ଅଧିକ ଅର୍ଡର ମିଳିଥିବା ମଧ୍ୟ କୁହାଯାଇଛି।

ଏହି ପ୍ରସଙ୍ଗରେ ୧,୩୯,୧୨୧ ୟୁନିଟ୍ ବିକ୍ରି ସହିତ ପ୍ରଥମ ସ୍ଥାନରେ ମାରୁତି ସୁଜୁକି ରହିଥିବାବେଳେ ୫୦,୦୧୦ ୟୁନିଟ୍ ସହିତ ହୁଣ୍ଡାଇ ଦ୍ୱିତୀୟ ସ୍ଥାନରେ, ୧୮,୪୬୦ ୟୁନିଟ୍ ସହିତ ମହିନ୍ଦ୍ରା ତୃତୀୟ ସ୍ଥାନରେ ଏବଂ ୧୩,୧୬୯ ୟୁନିଟ୍ ସହିତ ଟାଟା ଚତୁର୍ଥ ସ୍ଥାନରେ ରହିଛି।