ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଫିଟୁନି ସମାଧାନର ବାଟ

ମୁମ୍ବାଇ,ଏଜେନ୍ସି: ନିର୍ବାଚନର ଫଳାଫଳ ବାହାରିବାର ୧୦ଦିନ ପରେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରିନାହିଁ। ରାଜ୍ୟରେ ବିଜେପି ସରକାର ଗଠନ କରିବା ନିମନ୍ତେ ଉଦ୍ୟମ ଜାରିରଖିଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ସୋମବାର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏ ନେଇ ଫଡ଼ନାଭିସ ମହାରାଷ୍ଟ୍ରରେ ଖୁବ୍ ଶୀଘ୍ର ସରକାର ଗଠନ ହେବ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ପାଖରେ ଦଳ ନ ରହିବ ନାହିଁ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଛକାପଞ୍ଛା ଲାଗିରହିଥିବା ବେଳେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କ ପାଖରେ ୧୭୫ଜଣ ବିଧାୟକଙ୍କ ସମର୍ଥନ ଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ତେବେ ଫଳ ପ୍ରକାଶ ପାଇବାପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ମଧ୍ୟରେ ପଦବୀକୁ ଅଢ଼େଇ ବର୍ଷ ଲେଖାଏଁ ବାଣ୍ଟିବାକୁ ଶିବସେନା ପକ୍ଷରୁ ଦାବି ହୋଇଥିଲା। ତେବେ ଏଥିରେ ବିଜେପି ଏକମତ ହୋଇନଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସରକାର ଗଠନ ହୋଇନାହିଁ।