ହାଇକୋର୍ଟ ବାର ପକ୍ଷରୁ ଜବାବ ଦାଖଲ, ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ,ଏନ୍ଏନ୍ଏସ୍ଆଇନ୍‌ଜୀବୀଙ୍କଆନ୍ଦୋଳନ ପ୍ରସଙ୍ଗକୁ ନେଇ ଆଜି ହାଇକୋର୍ଟର ପୂର୍ଣ୍ଣ ଖଣ୍ଡପୀଠରେ ଶୁଣାଣି ହୋଇଛି। ଏଥିରେ ହାଇକୋର୍ଟ ବାର ପକ୍ଷରୁ କୋଟ ସମ୍ମୁଖରେ ଜବାବ ଦାଖଲ କରିଥିବାବେଳେ ଏଥିରେ ଅନ୍ୟ ବାରଗୁଡ଼ିକ ଜବାବ ଦାଖଲ କରିବାକୁ ସମୟ ମାଗିଥିଲେ। ଏ ନେଇ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୯ ତାରିଖ ଧାର୍ଯ୍ୟ କରାଯାଇଛି। ଫଳରେ ହାଇକୋର୍ଟ ବାର ସମ୍ପର୍କିତ ମାମଲା ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ଅନ୍ୟପଟେ ଦୀର୍ଘଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳରୁ ଓହରି ସୋମବାର ଠାରୁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଓକିଲ ମାନେ କାର୍ଯ୍ୟରେ ଯୋଗଦେଇଛନ୍ତି। ଏଥିସହ ଅନ୍ୟ ବାର ଆସୋସିଏସନକୁ କାର୍ଯ୍ୟରେ ଯୋଗଦେବା ପାଇଁ ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଅନୁରୋଧ କରିଛି।

ସୂଚନା ଅନୁସାରେ ଗତ ୧ତାରିଖରେ ସଂଘର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା। ବାର କାଉନସିଲର ଅନୁରୋଧ ପରେ  ଏହି ନିଷ୍ପତ୍ତି ନିଆଯାଇଥିଲା। କଲେଜିୟମ ବ୍ୟବସ୍ଥା ଉଚ୍ଛେଦ, ଖାଲିପଡ଼ିଥିବା ବିଚାରପତି ପଦବୀ ପୂରଣ, ବିଚାରପତି ନିଯୁକ୍ତି ବେଳେ ହାଇକୋର୍ଟରେ ପ୍ରାକ୍ଟିସେସ୍‌ କରୁଥିବାଙ୍କୁ ପ୍ରାଧାନ୍ୟ ଦାବି କରି ପୂର୍ବଭଳି ଆନ୍ଦୋଳନ ଜାରି ରହିବ ବୋଲି ପଶ୍ଚିମ ଓଡ଼ିଶା କେନ୍ଦ୍ର କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସତ୍ୟନାରାୟଣ ପଣ୍ଡା କହିଛନ୍ତି।