ଦେବଗଡରେ ୫ଟି ଟିମ୍, ରୋଗୀଙ୍କ ସହ କଲେ ଆଲୋଚନା

ଦେବଗଡ,ଏନଏନଏସ: ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାର କାର୍ଯ୍ୟକାରିତା ପରେ ପ୍ରଥମଥର ପାଇଁ ଆଜି ଦେବଗଡ ଜିଲ୍ଲା ଗସ୍ତରେ ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ,ଏନଆରଏଚଏମ ମୁଖ୍ୟ ଶାଳିନୀ ପଣ୍ଡିତ ଓ ଅର୍ଥ ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ମୀନା ଆସି ଏହାର ସମୀକ୍ଷା କରିଥିଲେ। ଆଜି ପୂର୍ବାହ୍ନରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇନଡୋର ଷ୍ଟାଡିୟମ ଠାରେ ପହଚିଂବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ସ୍ୱାଗତ କରିଥିଲେ।

ଏହାପରେ ଉପରୋକ୍ତ ଅଧିକାରୀ ମାନେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ରୋଗୀମାନଙ୍କୁ ଚିକିତ୍ସାଳୟରେ ଥିବା ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଚିକିତ୍ସାଳୟରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କ ସହ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ଆଦର୍ଶ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ମହାବିଦ୍ୟାଳୟର ଅଭାବ ଅସୁବିଧା ପଚାରି ବୁଝିବା ସହ ମହାବିଦ୍ୟାଳୟ ର ଭିତ୍ତିଭୂମିର ସମୀକ୍ଷା କରିଥିଲେ। ୫-ଟି ମୁଖ୍ୟ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।