ଶ୍ରମିକ କାର୍ଡ ପାଇଁ ଡଙ୍ଗରିଆଙ୍କୁ ଠକିଲେ ଦଲାଲ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରେ ପୁଣି ଥରେ ଠକେଇ ଶିକାର ହେଇଛନ୍ତି ନିରୀହ ଡଙ୍ଗରିଆମାନେ । ଡଙ୍ଗରିଆମାନଙ୍କୁ ଶ୍ରମିକ କାର୍ଡ଼ ଦେବା ନାମରେ ଦୁଇ ଜଣ ଦଲାଲ ଜଣକ ପିଛା ପ୍ରାୟ ୫୨୦ ଟଙ୍କା ଦୀର୍ଘ ଦୁଇ ବର୍ଷ ହେଲା ନେଇଯାଇଥିବା ଅଭିଯୋଗ କରିଛନ୍ତି ଡଙ୍ଗରିଆ ଆଦିବାସୀ ।

କଲ୍ୟାଣସିଙ୍ଘପୁର ବ୍ଲକ ପାର୍ସଲି ପଞ୍ଚାୟତର କାନସୁର, ତେବାପଡା, ଵଂଡେରୀ ଏପରି ପ୍ରାୟ ୬ଟି ଗ୍ରାମର ପ୍ରାୟ ୧୨ ଶହ ଲୋକଙ୍କ ଟଙ୍କା ଦୁଇ ଜଣ ଦଲାଲ ନିତ୍ୟାନନ୍ଦ ପ୍ରଧାନ ଓ ବିଶ୍ୱମ୍ବର ବିଭୋର ଅଣସଂଘଠିତ ପରିଚୟ ପତ୍ର ଦେବା ନାମରେ ପ୍ରାୟ ଦୁଇ ବର୍ଷ ହେଲା ଜଣକ ପିଛା ୫୨୦ ଟଙ୍କା ଲେଖାଏଁ ୬୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି ଡଙ୍ଗରିଆମାନେ।

ଆଜି ଶତାଧିକ ଡଙ୍ଗରିଆ ପୁରୁଷ ଓ ମହିଳା ରାୟଗଡା ଶ୍ରମ ବିଭାଗ କାର୍ୟ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଶ୍ରମ ବିଭାଗ ଅଧିକାରୀ ଛୋଟରାୟ ଟୁଡୁ ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।