ପାଟଣାଗଡ଼଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେଣ୍ଡୁମୁଣ୍ଡି ଗାଁରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭଇସା ମଣ୍ଡଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ମଣ୍ଡଳ ସଭାପତି ପଙ୍କଜ ଭୋଇଙ୍କ ସଭାପତିତ୍ୱରେ ହୋଇଥିବାବେଳେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ସହ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଜିଲ୍ଲା ବିଜେପି ସଭାପତି ଶିବାଜି ମହାନ୍ତି ଯୋଗ ଦେଇଥିଲେ । ଏଥିରେ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ଉପରେ ସାଂସଦ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ । ବିଶେଷ କରି ନରେନ୍ଦ୍ର ମୋଦୀଙ୍କ ଆୟୁଷ୍ମାନ ଯୋଜନାରେ ମହିଳାମାନେ ମୋବାଇଲ ଆପରେ ସୁବିଧା ସୁଯୋଗ ପାଇପାରିବେ ବୋଲି ବୁଝାଇଥିଲେ । ବର୍ତ୍ତମାନ ଓଡ଼ିଶାରେ ଅଫିସର ରାଜ ଶାସନ ଚାଲିଛି ଓ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ବନ୍ଦୀ କରି ତାଙ୍କର ବ୍ୟକ୍ତିଗତ ସଚିବ ଜିଲ୍ଲା ବୁଲିବା ଗ୍ରହଣୀୟ ନୁହେଁ ବୋଲି ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ । ପରେ ଶ୍ରୀ ସିଂଦେଓ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏଥିରେ କନକବର୍ଦ୍ଧନ ସିଂହଦେଓ ବିଧାୟକଙ୍କ ବିରୁଦ୍ଧରେ କଡ଼ା ସମାଲୋଚନା କରିଥିଲେ । କେନ୍ଦୁମୁଣ୍ଡି ଅଞ୍ଚଳର ଯୁଧିଷ୍ଠିର ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜେଡି ସମର୍ଥକମାନେ ବିଜେଡି ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏହି ସମ୍ମିଳନୀରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।