ପାଟଣାଗଡ଼,ଏନ୍ଏନ୍ଏସ୍: ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ସଂଧ୍ୟା ପ୍ରାୟ ୭ଟା ସମୟରେ ସ୍ଥାନୀୟ ଟିକପାଲି(ୱାର୍ଡ ନମ୍ବର-୧୧)ରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ଉଆଁସୁ ପୌଢ଼(୩୦)ଙ୍କ ଟାଙ୍ଗିଆ ଚୋଟରେ ଜଣେ ୨୦ ବର୍ଷୀୟ ବାଳକ ଜିତେନ ଧ୍ରୁବଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଟିକପାଲି ନିବାସୀ ଝାରୁ ଧ୍ରୁବଲଙ୍କ ସାନ ପୁଅ ଜିତେନ ଓ ଭକ୍ତ ପୌଢ଼ଙ୍କ ପୁଅ ଉଆଁସୁ ଇଟା ଗଢ଼ିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତେବେ ଉଭୟେ ଫେରି ଆସିବା ପରେ ମଧ୍ୟ ପୂର୍ବ ରାଗ ଥମି ନଥିବାରୁ ଉଆଁସୁ କୁଆଡ଼େ ଜିତେନକୁ ହତ୍ୟା ଧମକ ଦେଉଥିଲା । ଗତକାଲି ସଂଧ୍ୟା ୭ଟା ସମୟରେ ଟିକପାଲି ଉପକଣ୍ଠସ୍ଥ ହୀରାସାଗର ପୋଖରୀ ନିକଟରେ ଜିତେନ ଥିବାବେଳେ ଉଆଁସୁ ଜିତେନ୍ ଉପରେ ଅତର୍କିତ ଆକ୍ରମଣ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଉଆଁସୁ ଧରିଥିବା ଏକ ଧାରୁଆ ଟାଙ୍ଗିଆରେ ଜିତେନର ବେକରେ ଆକ୍ରମଣ କରିଥିବାବେଳେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ହିଁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଟାଙ୍ଗିଆ ଏବଂ ଏକ ଲୁହା ପାଇପ ପଡ଼ିଥିବା ଦେଖିବାକୁ ପାଇଥିଲା । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଲାଗି ରହିଥିଲା । ପାଟଣାଗଡ଼ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଜିତେନଙ୍କୁ ନିଶ୍ଚଳ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ଉଆଁସୁ ଫେରାର ମାରିଥିଲା । ପରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ହତ୍ୟାକାରୀ ଉଆଁସୁକୁ ଧରିବାରେ ସଫଳ ହୋଇ ଥାନାକୁ ଆଣି ପଚରାଉଚୁରା କରିବା ପରେ ସେ ମାରିଥିବା ସ୍ୱୀକାର କରିଥିଲା । ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରିବା ସହ ହତ୍ୟାକାରୀ ଉଆଁସୁକୁ ଘଟଣାସ୍ଥଳକୁ ନେଇ ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ କିଭଳି ଭାବରେ ମାରିଥିଲା ସେ ଉପରେ ଦେଖାଇଥିଲା । ଏନେଇ ଉଭୟ ପରିବାର ପକ୍ଷରୁ ପୃଥକ୍ ପୃଥକ୍ ଭାବେ ୨ଟି ମାମଲା ରୁଜୁ ହୋଇଛି ଓ ହତ୍ୟାକାରୀ ଉଆଁସୁକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି ।