ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ପାଳିତ ହେଉଥିବା ଏହି ଦିବସ ଉପଲକ୍ଷେ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥିଭାବେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜୀବ ଲୋଚନ ନାୟକ, କ୍ରୀଡ଼ା ସଂସଦ, ଉପସଭାପତି ସତ୍ୟ ନାରାୟଣ ମିଶ୍ର, ସହସମ୍ପାଦକ ପ୍ରଦୀପ ଅମାତ ଓ ବରିଷ୍ଠ କ୍ରୀଡ଼ାବିତ ହେମନ୍ତ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ କିମ୍ବଦନ୍ତୀ ହକି ଖେଳାଳିଙ୍କ ଜୀବନ ଆଦର୍ଶ ସହ ତାଙ୍କ ବିଚକ୍ଷଣ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କ୍ରୀଡ଼ାବିତ ମାର୍କଣ୍ଡେଶ୍ୱର ଶତପଥୀ, ପ୍ରଭାସ କୁମାର ମିଶ୍ର ଓ ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଭା ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ହକି ଖେଳାଳିମାନେ ଏକ ଶୋଭାଯାତ୍ରାରେ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ସେହିପରି ଗତକାଲି ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଏକ ସାଇକ୍ଲୋଥାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।