ପାଟଣାଗଡ,ଏନ୍ଏନ୍ଏସ୍: ସ୍ଥାନୀୟ ବ୍ରହ୍ମପୁରା ନିକଟସ୍ଥ ପର୍ଶୁରାମ ଛକରେ ସ୍ଥାପିତ ହୋଇଥିବା ପର୍ଶୁରାମଙ୍କ ଫଟୋକୁ ଅପସାରଣ କରି ଚଳିିତ ମାସ ୧୮ ତାରିଖରେ ପାଟଣାଗଡ଼ ବ୍ଲକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ବ୍ରାହ୍ମଣ ଏକତା ମଞ୍ଚ ବଜରଙ୍ଗ ଦଳ ତଥା ଅନ୍ୟାନ୍ୟ ହିନ୍ଦୁ ସଂଗଠନଙ୍କ ପକ୍ଷରୁ ଦିନକୁଦିନ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ତେଣୁ ଏହାର ପ୍ରତିବାଦରେ ପୂର୍ବରୁ ଗତ ୧୯ ତାରିଖରେ ପାଟଣାଗଡରେ଼ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା । ପରେ ୨୨ ତାରିଖରେ ବେଲପଡ଼ାରେ ବଜରଙ୍ଗ ଦଳ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ଓ ପର୍ଶୁରାମ ସେନାବନ୍ଦ ଡାକରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଏହିକ୍ରମେ ଆଜି ଖପ୍ରାଖୋଲରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ଡାକରାରେ ସମସ୍ତ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ସହ ଯାନବାହାନ ଚଳାଚଳ ବନ୍ଦ ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପୁଲିସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଏହି ବନ୍ଦ ଡାକରାରେ ପ୍ରବୀଣ ଅଗ୍ରୱାଲ, ସୁଶୀଳ କୁମାର ଗୁରୁ, ଉପେନ୍ଦ୍ର ଭୋଇ, ସତ୍ୟାନନ୍ଦ ସେଦ୍ରିଆ, ସୀତାରାମ ବାଗ, ପଞ୍ଚୁଦେବ ସାହୁ, ଦେବକାନ୍ତ ପାଣିଗ୍ରାହୀ, ବୈଦ୍ୟନାଥ ମିଶ୍ର ଓ ରୋହିତ ମେହେର ପ୍ରମୁଖ ସାମିଲ ହୋଇଥିଲେ ।