ଆଜି ଏସସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ: ରାଷ୍ଟ୍ରପତି

କଟକ,ଏନ୍‌ଏନ୍‌ଏସ୍‌: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଷୀ ଲାଲ ଉପସ୍ଥିତ ଅଛନ୍ତି । ଏହି ଉତ୍ସବରେ ରାଷ୍ଟ୍ରପତି ନିଜ ବକ୍ତବ୍ୟରେ କହିଛନ୍ତି ଯେ, କଟକକୁ ବିଶ୍ୱ ପ୍ରସିଦ୍ଧ କରିବାରେ ଏସସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ । ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି । ଆଜି ଏସସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ । ମୋ ମତରେ ଡାକ୍ତରୀ ଏକ ବୃତ୍ତି ନୁହେଁ,ଏକ ବ୍ରତ । ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦୀ ହେବାର ଆବଶ୍ୟକତା ରହିଛି । ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ । ଯେକେହି ବି ଲୋକଙ୍କ ସେବା କରିପାରିବେ କିନ୍ତୁ ଯନ୍ତ୍ରଣା ଦୂର କରିପାରିବେନି । କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିଥାଏ । ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢ଼ିଛି ଓ ମାତୃ ଶିଶୁ ମୃତ୍ୟୁହାର କମିଛି । ଡାକ୍ତଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ । ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ ସାଇନ୍ସରେ ଜରୁରୀ । ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ତ୍ୱପୂର୍ଣ୍ଣ ।